ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାରଲାଇନ୍ ଏୟାର ଇଣ୍ଡିଆରେ ପାଇଲଟ୍ଙ୍କ ସଙ୍କଟ ବଢିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଏୟାର ଇଣ୍ଡିଆର ଉଡାଣ ସେବା ପ୍ରଭାବିତ ହୋଇପାରେ। ଏୟାରଲାଇନ୍ର ପାଇଲଟ୍ମାନେ କମ୍ପାନିର ସିଇଓ ତଥା ପରିଚାଳକ ନିର୍ଦ୍ଦେଶକ କ୍ୟାମ୍ପବେଲ ଓ୍ଵିଲସନଙ୍କ ସହିତ ଏଚଆରଙ୍କୁ ଚିଠି ଲେଖିଛନ୍ତି। ଚିଠି ଜରିଆରେ ପାଇଲଟ୍ମାନେ ଚେତାବନୀ ଦେଇଛନ୍ତି ଯେ, ପାଇଲଟ୍ ନିଜର ସର୍ବାଧିକ ଘଣ୍ଟାରୁ ଆହୁରି ଅଧିକ ସମୟ କାମ କରିବେ ନାହିଁ।
ଚିଠିରେ ଏହା ମଧ୍ୟ କୁହାଯାଇଛି, ଆମେ ଏହି ଆଶ୍ଵାସନ ଦେଇ ପାରିବୁ ନାହିଁ ଯେ, ଆମର ସଦସ୍ୟ ମାସରେ ୭୦ ଘଣ୍ଟାରୁ ଅଧିକ ସମୟ ଉଡାଣ ଭରନ୍ତୁ। ତେବେ ଏହି ମାମଲାରେ ଏୟାର ଇଣ୍ଡିଆ ପକ୍ଷରୁ ଅଦ୍ୟାବଧି କୌଣସି ଟିପ୍ପଣୀ ଆସିନାହିଁ। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି, ଏୟାରଲାଇନ୍ରେ କେବିନ୍ କ୍ରୁ ବ୍ୟତୀତ କକପିଟ୍ କ୍ରୁର ମଧ୍ୟ ଅଭାବ ରହିଛି। ପାଇଲଟ୍ଙ୍କ ଅଭାବ କାରଣରୁ ଓଭର ଟାଇମ୍ କାମ କରିବାକୁ କୁହାଯାଉଛି। ଏହା ପାଇଲଟ୍ଙ୍କ ପ୍ରତି ହତୋତ୍ସାହିତ କରିବା ଭଳି କାମ। ଏୟାରଲାଇନ୍ର ଘରୋଇକରଣ ହେବା ପରେ ବି ପ୍ରବନ୍ଧନ ସହିତ ଆମକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ପ୍ରଥମ ଥର ପାଇଲଟ୍ ନିଜର ସମସ୍ୟାକୁ ନେଇ ସ୍ଵର ଉଠାଇଛନ୍ତି ଏବଂ ଟାଟା ପ୍ରବନ୍ଧକଙ୍କୁ ଅବଗତ କରାଇଛନ୍ତି।
ଚିଠି ଜରିଆରେ ପାଇଲଟ୍ମାନେ କହିଛନ୍ତି, ଆମେ ମାସକୁ ୯୦ ଘଣ୍ଟାରୁ ଅଧିକ ସମୟ ଉଡାଣ ଭରୁଛୁ। ଏହା ପରେ ବି ଠିକ୍ରେ ଛୁଟି ମିଳୁନି। ପାଇଲଟ୍ଙ୍କ ଅଭାବ କାରଣରୁ ପୂର୍ବରୁ ନିର୍ଦ୍ଧାରିତ ରୋଷ୍ଟର ଲାଗୁ କରି ପାରିବୁ ନାହିଁ। କାରଣ ପ୍ରବନ୍ଧକଙ୍କ ପାଖରେ ଅତିରିକ୍ତ ପାଇଲଟ୍ ନାହାନ୍ତି।
କେମିତି ଦିଆଯାଏ ବେତନ
ସୂଚନା ଅନୁଯାୟୀ, ବେସାମରିକ ବିମାନ ଚଳାଚଳ ଇଣ୍ଡଷ୍ଟ୍ରୀରେ ସର୍ବନିମ୍ନ ୭୦-୮୦ ଘଣ୍ଟାର ଉଡାଣ ପାଇଁ ପାଇଲଟ୍ଙ୍କୁ ବେତନ ଦିଆଯାଏ। ଅନ୍ୟପକ୍ଷେ ଟାଟା ଏୟାର ଇଣ୍ଡିଆରେ କେବଳ ୨୦ ଘଣ୍ଟାର ନିଶ୍ଚିତ ବେତନ ଏବଂ ପାଇଲଟ୍ଙ୍କୁ ଯେତେ ଉଡାଣ ଭରିବ ସେତେ ଅଧିକ ବେତନ ପାଇବ ନିୟମ ଆଧାରରେ ଦରମା ପ୍ରଦାନ କରୁଛି।