ଠିକରେ ଛିଡା ହୋଇ ପାରୁନଥିବା ବ୍ୟାଟସମ୍ୟାନ କଣ ବ୍ୟାଟିଂ କରିବ, ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର

Published By : Prameya-News7 Bureau | June 25, 2022 IST

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ୨-୨ରେ ଡ୍ର ସହିତ ସମାପ୍ତ ହୋଇଛି । ଏହି ସିରିଜରେ କାମଚଳା ଅଧିନାୟକ ଋଷଭ ପନ୍ତଙ୍କ ପ୍ରଦର୍ଶନ ଆଶାନୁରୂପ ରହି ନାହିଁ । ୨୪ ବର୍ଷୀୟ ୱିକେଟ୍ କିପର ବ୍ୟାଟସମ୍ୟାନ ସିରିଜର ଚାରୋଟି ମ୍ୟାଚରେ ୨୯, ୫, ୬ ଏବଂ ୧୭ ରନ କରିଥିଲେ । ଚାରୋଟି ମ୍ୟାଚ ରେ ସେ ଗୋଟିଏ ପ୍ରକାରର ସଟ୍ ଖେଳି ଆଉଟ୍ ହୋଇଛନ୍ତି । ତାଙ୍କ ଆଉଟ୍ ହେବା ଶୈଳୀକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ମହାନ ବ୍ୟାସମ୍ୟାନ ସୁନୀଲ ଗାଭାସ୍କର । ସେ କହିଥିଲେ ଏହି ଯୁବ ଖେଳାଳି ନିଜ ଭୁଲରୁ କିଛି ଶିଖି ପାରୁ ନାହାନ୍ତି । ପାକିସ୍ତାନର ପୂର୍ବତନ ଲେଗ ସ୍ପିନର ଦାନିଶ କାନେରିଆ ମଧ୍ୟ ପନ୍ତଙ୍କ ଫିଟନେସ୍ ଉପରେ ପ୍ରଶ୍ନ ଉଠାଇଛନ୍ତି ।

କାନେରିଆ କହିଛନ୍ତି, ଫିଟନେସ୍ ଠିକ୍ ନଥିବା କାରଣରୁ ପନ୍ତଙ୍କ ସଟ୍ ଚୟନ ବି ଠିକ୍ ରହୁ ନାହିଁ । ପନ୍ତଙ୍କ ବ୍ୟତୀତ ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସ୍ ମଧ୍ୟ ଠିକ୍ ନାହିଁ । ଦୁଇ ବ୍ୟାଟସମ୍ୟାନଙ୍କୁ ବିରାଟ କୋହଲିଙ୍କଠୁ ଶିଖିବା ଉଚିତ୍ ଏବଂ ନିଜ ଫିଟନେସ୍ ସ୍ତରରେ ସୁଧାର କରିବା ଉଚିତ୍ ବୋଲି ଡାନିସ କାନେରିଆ କହିଛନ୍ତି ।

କାନେରିଆ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ବିରାଟ କୋହଲି ଅଧିନାୟକ ଥିବା ବେଳେ ଦଳର ଫିଟନେସ୍ ମାନଦଣ୍ଡରେ ଅନେକ ସୁଧାର ଆସିଥିଲା। ମାତ୍ର ପନ୍ତ ଅନ୍ୟ ଖେଳାଳିଙ୍କ ତୂଳନାରେ ବହୁତ ପଛରେ ରହିଛନ୍ତି । ଏପରିକି ରୋହିତ ଶର୍ମାଙ୍କ ଫିଟନେସ୍ ମଧ୍ୟ ସେତେ ଖାସ୍ ନାହିଁ । ହେଲେ ରୋହିତଙ୍କ ଅପେକ୍ଷା ପନ୍ତଙ୍କୁ ନିଜର ଫିଟନେସ୍ ଉପରେ ଅଧିକ ସୁଧାର କରିବାର ଆବଶ୍ୟକତା ରହିଛି । କାରଣ ସେ ଜଣେ ୱିକେଟ୍ କିପର । ଏତେ କମ ବୟସରେ ବି ସେ ଠିକରେ ନଇଁ ପାରୁ ନାହାନ୍ତି ବୋଲି କାନେରିଆ କହିଛନ୍ତି ।

ପାକିସ୍ତାନର ପୂର୍ବତନ ଲେଗ ସ୍ପିନର ଫିଟନେସକୁ ନେଇ ଦିନେଶ କାର୍ତ୍ତିକଙ୍କ ଉଦାହରଣ ଦେଇଛନ୍ତି । କାର୍ତ୍ତିକ ୩୭ ବର୍ଷ ବୟସରେ ବେଶ ଫୁର୍ତ୍ତି ଅଛନ୍ତି । କାର୍ତ୍ତିକ ଆଇପିଏଲ ୨୦୨୨ରେ ପାଖାପାଖି ୨୦୦ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରି ତିନି ବର୍ଷ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୩୭ ବର୍ଷ ବୟସରେ କାର୍ତ୍ତିକ ପୁଣି ଥରେ ଦଳକୁ ଫେରିବା ପନ୍ତଙ୍କ ମାର୍ଗକୁ କଠିନ କରି ଦେଇଛି । ପନ୍ତଙ୍କ ଫିଟନେସରେ ତାଙ୍କର ଓଜନ ସମସ୍ୟା ରହିଛି । ଏହାର ପ୍ରଭାବ ତାଙ୍କର ଚପଳତା ଉପରେ ପଡୁଛି ବୋଲି କାନେରିଆ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.