ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି ; ଦାଗୀ ନେତା ଲଢିପାରିବେ ନିର୍ବାଚନ
25/09/2018 at 12:15 PM

ନୂଆଦିଲ୍ଲୀ ୨୫|୯: ଅପରାଧିକ ମାମଲା ସାମ୍ନା କରୁଥିବା ବିଭିନ୍ନ ଦାଗୀ ନେତାଙ୍କ ଉପରେ ଆଜି ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କେବଳ ଚାର୍ଜସିଟ ଆଧାରରେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ । ନିର୍ବାଚନ ଲଢିବା ଉପରେ ବି କୌଣସି ପ୍ରତିବନ୍ଧକ ଲାଗିପାରିବ ନାହିଁ । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏ ନେଇ ସଂସଦରେ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ନିର୍ବାଚନ ଲଢିବାକୁ ଥିବା ନେତାମାନଙ୍କର ଅପରାଧିକ ମାମଲାର ସମସ୍ତ ତଥ୍ୟ ଦଳୀୟ ୱେବସାଇଟରେ ରହିବ । ସଂସଦ ଏହା ଉପରେ ନିଷ୍ପତ୍ତି ନେଇ ସ୍ବତନ୍ତ୍ର ଆଇନ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।
ବର୍ତ୍ତମାନର ଆଇନ ବ୍ୟବସ୍ଥା ଅନୁଯାୟୀ ଅପରାଧିକ ମାମଲା ସାମ୍ନା କରୁଥିବା ସାଂସଦ ଏବଂ ବିଧାୟକମାନେ କେବଳ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ଅଯୋଗ୍ୟ ଘୋଷିତ ହେଉଛନ୍ତି। କିନ୍ତୁ ଅପରାଧିକ ପୃଷ୍ଠଭୂମିର ନେତାମାନଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍ ହୋଇଥିଲା । ଆଜି ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଜନସ୍ବାର୍ଥ ମାମଲା ଉପରେ ଶୁଣାଣି କରି ରାୟ ଦେଇଛନ୍ତି । ଦାଗୀ ନେତାଙ୍କୁ ଅଯୋଗ୍ୟ ଘୋଷିତ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ପିଆଇଏଲ୍ କୁ କେନ୍ଦ୍ର ସରକାର ବିରୋଧ କରୁଥିଲେ।