ସ୍ୱର୍ଗତ ପ୍ରବୀର ପ୍ରଧାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

Published By : Prameya-News7 Bureau | November 07, 2020 IST

ଭଦ୍ରକ ୦୭।୧୧: କରୋନାରେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ମୃତ୍ୟୁ ହୋଇଛି । ପ୍ରବୀରଙ୍କ ମୃତ୍ୟୁରେ ଶୋକପ୍ରକଟ କରାଯିବା ସହ ଭଦ୍ରକ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହା ସହିତ କ୍ୟାଣ୍ଡେଲ୍ ଶୋଭାଯାତ୍ରା ମଧ୍ୟ କରାଯାଇଛି ।

ଆଜି ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ କ୍ୟାଣ୍ଡେଲ ଧରି ପ୍ରବୀର ପ୍ରଧାନ ଅମର ରହେ ସ୍ଳୋଗାନ ମାଧ୍ୟମରେ ସହର ପରିକ୍ରମା କରି ଟାଉନହଲ ଛକ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ପ୍ରବୀରଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ନୟାଗଡ ଜିଲ୍ଲାରେ ଜନ୍ମିତ ପ୍ରବୀର ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନରେ ସାମ୍ବାଦିକତାରେ ଶିକ୍ଷାଲାଭ କରିବା ପରେ ବିଭିନ୍ନ ଗଣମାଧ୍ୟମ ରେ କାର୍ଯ୍ୟ କରିଥିଲେ ।

ସେ ଜଣେ ନିର୍ଭୀକ, ସଚ୍ଚୋଟ ସାମ୍ବାଦିକ ଥିବା ବେଳେ ତାଙ୍କର ଅମାୟିକ ବ୍ୟବହାର ସମସ୍ତଙ୍କୁ ନିଜର କରି ନେଉଥିଲା । ସେ କରୋନା ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା । ପ୍ରବୀରଙ୍କ ମୃତ୍ୟୁରେ ଭଦ୍ରକ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ସାମ୍ବାଦିକ ଗଭୀର ଶୋକ ପ୍ରକଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.