ସାଇକେଲ୍‌ରେ ଆସି ନାମାଙ୍କନ ଭରିଲେ ପ୍ରାର୍ଥୀ, କହିଲେ- ବିଧାୟକ ହେଲେ ପ୍ରଥମେ ନିଜର ବିକାଶ କରିବି, ତା ପରେ…

Published By : Prameya-News7 Bureau | October 09, 2020 IST

ଶେଖପୁରା ୦୯।୧୦:  ବିଧାୟକ ହେଲେ ଜନତାଙ୍କ ବିକାଶ କରିବି,  ଆପଣ ନାମାଙ୍କନ ପତ୍ର ଭରିବା ପରେ ଅଧିକାଂଶ ନେତାଙ୍କ ମୁହଁରୁ ଏହି କଥା ସର୍ବଦା ଶୁଣିଥିବେ। ମାତ୍ର ବିହାରର ଶେଖପୁରାର ବରବିଘା ବିଧାନସଭାରୁ ନାମାଙ୍କନ ଦାଖଲ କରିବା ପରେ ଦରଜୀ ଯାହା କହିଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହେବେ। ସାଇକେଲ୍‌ରେ ଆସି ନାମାଙ୍କନ ଦାଖଲ କରିଥିବା ଦରଜି କହିଛନ୍ତି ଯଦି ବିଧାୟକ ହୁଏ ତେବେ ପ୍ରଥମେ ନିଜର ବିକାଶ କରିବି ପରେ ଜନତାଙ୍କୁ ଦେଖିବି।

ଶେଖପୁରା ଜିଲ୍ଲାର ବରବିଘା ବିଧାନସଭାର ପୁରନକାମା ଗାଁ ନିବାସୀ ରାଜେନ୍ଦ୍ର ପ୍ରସାଦ ପେଶାରେ ଜଣେ ଦରଜି। ସେ ନିର୍ବାଚନ ଲଢିବା ପାଇଁ ସାଇକେଲ୍‌ରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ସେ କହିଛନ୍ତି ଏହି ନାମାଙ୍କନ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ କରିଛନ୍ତି।

ଗଣମାଧ୍ୟମ ସହ ଆଲୋଚନା  ବେଳେ ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ନିର୍ବାଚନ ପରେ ଯଦି ସେ ବିଧାୟକ ହୁଅନ୍ତି ତେବେ ପ୍ରଥମେ ନିଜର ବିକାଶ କରିବି। ସେ କହିଛନ୍ତି ବିଧାୟକ ହେବା ପରେ ଲୋକେ ଦିଲ୍ଲୀ, ମୁମ୍ବାଇରେ ଫ୍ଲାଟ୍ କିଣୁଛନ୍ତି ଏବଂ ନିଜର ପୁଞ୍ଜି ବଢାଉଛନ୍ତି।

ରାଜେନ୍ଦ୍ର କହିଛନ୍ତି, ଏତେ ବର୍ଷ ପର୍ଯ୍ୟନ୍ତ ସେ ପରିଶ୍ରମ କରି ଚାଲିଛନ୍ତି ହେଲେ ଏ ପର୍ଯ୍ୟନ୍ତ କିଛି ହାସଲ କରି ପାରିନାହିଁ। ତାଙ୍କର ଉଦ୍ଦେଶ୍ୟ ବିଧାୟକ ହେବା ପରେ ସେ ମଧ୍ୟ ନିଜର ଘର ତିଆରି କରି ପାରିବେ ଏବଂ ନିଜ ପରିବାରର ବିକାଶ କରି ପାରିବେ। ଏହି ଉଦ୍ଦେଶ୍ୟରେ ସେ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କର ନାମାଙ୍କନ ଦାଖଲ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.