ଭୁବନେଶ୍ୱର ୫।୬: ଦଳ ଡେଇଁଲେ ମାଟି କାମୁଡ଼ିଲେ । ଜାତିଗଲା ହେଲେ ପେଟ ପୂରିଲାନି । ଫଳରେ ହତାଶ ହେଲେ ଦଳ ଡିଆଁ । ବହୁତ କଷ୍ଟ କଲେ କିନ୍ତୁ ସଫଳତା ଭାଗ୍ୟରେ ନାହିଁ । ଭାରି ବାଧିଲା । ଭାଗ୍ୟ ବି ସାଥ୍ ଦେଲାନି । ଏବେ ମନକୁ ବୁଝାଇ ମନମାରି ବସିଛନ୍ତି ।
ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ବରିଷ୍ଠ, ଚର୍ଚ୍ଚିତ ସ୍ୱାର୍ଥ ପୂରଣ ପାଇଁ ଏ ଦଳରୁ ସେ ଦଳ, ସେ ଦଳରୁ ଏ ଦଳ ଡେଇଁଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା, ଆଲୋଚନା ହୋଇଥିଲା । ବିଶେଷକରି ଯେଉଁମାନେ ଦଳ ଡେଇଁ ବିଭିନ୍ନ ବିଧାନସଭା ଓ ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଥିଲେ ତାଙ୍କୁ ନେଇ ବେଶି ଚର୍ଚ୍ଚା ହୋଇଥିଲା । କିନ୍ତୁ ଫାଇଦା ହେଲାନି । ଫଳ ଆସିଲା ବେଳକୁ ପୂରା ଫେଲ୍ । ଆଗରେ ଥିଲେ ଭୃଗୁ ବକ୍ସିପାତ୍ର । ସକାଳେ ବିଜେପିକୁ ବାଏ ବାଏ କହିଲେ ସନ୍ଧ୍ୟାରେ ସମସ୍ତଙ୍କୁ ଚକିତ କରି ବିଜେଡିରୁ ବ୍ରହ୍ମପୁର ଏମ୍ପି ଟିକଟ ହାତେଇଲେ ।
ସେହିପରି ସେହିପରି ବରଗଡ଼ ଓ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପରିଣୀତା ମିଶ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ବିଜେଡିର ସରପ୍ରାଇଜ୍ ପ୍ରାର୍ଥୀ ଥିଲେ । ଦୁହେଁ ବିଜେପି ଛାଡ଼ି ବିଜେଡି ଆସିଥିଲେ କିନ୍ତୁ ସଫଳ ହେଲେ ନାହିଁ । ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିକୁ ଯାଇ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ହୋଇଥିଲେ । ସୋନାଲି ସାହୁ ବିଜେପିରୁ ଆସି କଂଗ୍ରେସରେ ଖୋର୍ଦ୍ଧା ପାଇଁ ବିଧାନସଭା ପ୍ରାର୍ଥୀ ହୋଇଥିଲେ । ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବିଜେଡିରୁ କଂଗ୍ରେସ ଆସି ଭଦ୍ରକରୁ ବିଧାନସଭା ଲଢ଼ିଥିଲେ । ସୋରର ପୂର୍ବତନ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ବିଜେପି ଯାଇ ବିଧାନସଭା ଲଢ଼ିଥିଲେ ।
ନୀଳଗିରିର ପୂର୍ବତନ ବିଜେପି ବିଧାୟକ ସୁକାନ୍ତ ନାୟକ ବିଜେଡିକୁ ଆସି ବିଧାନସଭା ପ୍ରାର୍ଥୀ ହୋଇଥିଲେ । ଅଭିନେତା ଅରିନ୍ଦମ ବିଜେଡି ଛାଡ଼ି ଯାଇ ସାଲେପୁରରୁ ବିଜେପି ଟିକଟରେ ବିଧାନସଭା ଲଢ଼ିଥିଲେ । କଂଗ୍ରେସର ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ବିଜେଡି ଯାଇ ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ବିଜେଡି ବରିଷ୍ଠ ନେତା ନଗେନ୍ଦ୍ର ପ୍ରଧାନ କଂଗ୍ରେସ ଯାଇ ସମ୍ବଲପୁର ଲୋକସଭା ଲଢ଼ିଥିଲେ । କିନ୍ତୁ କେହି ଜିତିପାରିନାହାନ୍ତି ।
ବେଶି ରୋଚକ କଥା ଦେଖିବାକୁ ମିଳିଥିଲା ଦେବାଶିଷ ଓ ସନ୍ତୋଷଙ୍କ ଘଟଣାରେ । ବିଜେଡିରୁ ବିଜେପି ଏବଂ ପରେ କଂଗ୍ରେସ ଆସି ବରୀରୁ ବିଧାନସଭା ଲଢ଼ିଥିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ସେହିପରି ସନ୍ତୋଷ ଜେନା ମଧ୍ୟ ଜଟଣୀରୁ ନିର୍ବାଚନ ଲଢ଼ିଥିଲେ । ଉଭୟ ପରାଜିତ ହୋଇଛନ୍ତି । ଏହାଛଡ଼ା ବିଜେଡିରୁ ବିଜେପି ଯାଇଥିବା ପୂର୍ବତନ ବିଧାୟକ ଅରବିନ୍ଦ ଢାଲି ଜୟଦେବରୁ ନିର୍ବାଚନ ଲଢ଼ି ହାରିଥିବା ବେଳେ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱର ଉତ୍ତରରୁ ହାରିଛନ୍ତି । ବିଜେଡିରୁ କଂଗ୍ରେସ ଯାଇଥିବା ସିପ୍ରା ମଲ୍ଲିକ କେନ୍ଦ୍ରାପଡ଼ାରୁ ଲଢ଼ି ହାରିଛନ୍ତି ।
You Can Read :
ଶୋଇଥିବା ବେଳେ ଓଲଟି ପଡିଲା ଡମ୍ପର, ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ