ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି, କ୍ୟାଣ୍ଡେଲ ଶୋଭାଯାତ୍ରା

Published By : Prameya-News7 Bureau | December 12, 2021 IST

ଖଲ୍ଲିକୋଟ ୧୨ ।୧୨:  ଚଳିତମାସ ୮ ତାରିଖରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସେନାମୁଖ୍ୟ ଓ ଅନ୍ୟ ସେନାଧିକାରୀଙ୍କ ମୃତ୍ୟୁ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଛି । ତାମିଲନାଡ଼ୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦେଶର ପ୍ରଥମ ସିଡିଏସ ସ୍ଵର୍ଗତ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଓଡ଼ିଆ ପୁଅ ରାଣା ପ୍ରତାପ ଦାସଙ୍କ ସମେତ ସମସ୍ତ ୧୩ ଜଣ ମୃତକଙ୍କ ଉଦ୍ଦେଶ୍ୟରେ  ଭାରତୀୟ ଅବସରପ୍ରାପ୍ତ ସୈନିକ ସଂଘ, ଛତ୍ରପୁର  ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏତଦବ୍ୟତୀତ ଦୁର୍ଘଟଣାରୁ ବର୍ତ୍ତିଯାଇ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି |

ଛତ୍ରପୁର ମା ରାମାୟଣମ୍ମା ଠାକୁରାଣୀ ମନ୍ଦିର ନିକଟରେ  ସଂଘର ସଭାପତି ଏଚ. କେ.ମୁନିଙ୍କ ପୌରହିତ୍ୟରେ ସାମୁହିକ ଦୀପଦାନ ଓ ପ୍ରାର୍ଥନା କରାଯାଇଛି । ଏଥିରେ ଗୋପାଳପୁର ତଟରକ୍ଷୀ ବାହିନୀର କମାଣ୍ଡେଣ୍ଟ ଏମ. କେ. ଶର୍ମା, ଅବସର ପ୍ରାପ୍ତ ସୈନିକ ସଂଘ ର ଉପସଭାପତି ବି. ଶଙ୍କର ରେଡ୍ଡୀ, ସମ୍ପାଦକ ମହେଶ ରେଡ୍ଡୀ, ଆଇନଜୀବୀ ପଦ୍ମ ଚରଣ ସାହୁ, ବଡ଼ ବଜାର ବ୍ୟବସାୟୀ ସଂଘର ସଭାପତି ସଂଜିତ କୁମାର ରାଉଳ ଓ ବହୁ ଅବସର ପ୍ରାପ୍ତ ସୈନିକ ଏବଂ ସ୍ଥାନୀୟ ଅଂଚଳର ଯୁବକ, ଯୁବତୀମାନେ ଉପସ୍ଥିତ ରହି ସହୀଦ ମାନଙ୍କ ଉଦେଶ୍ୟରେ ସ୍ମୃତି ଚାରଣ କରିଥିଲେ l ପରେ ସମସ୍ତେ ଏକ କ୍ୟାଣ୍ଡଲ ଶୋଭାଯାତ୍ରରେ ଛତ୍ରପୁର ସହର ପରିକ୍ରମା କରି ସହିଦ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.