ମୁମ୍ବାଇ ୧୯/୧ : କାନାଡ଼ାର ଜଣେ ଯୁବତୀଙ୍କ ସହ ଜଣେ ପଞ୍ଚ ତାରକା ହୋଟେଲର କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି | ମହିଳାଙ୍କ ଅଭିଯୋଗ ପରେ ପୋଲିସ ହୋଟେଲ କର୍ମଚାରୀକୁ ଗିରଫ କରିଛି |
ଜୁହୁ ପୋଲିସର ସୂଚନା ଅନୁଯାୟୀ, ଜୁହୁ ସ୍ଥିତ ଏକ ପଞ୍ଚ ତାରକା ହୋଟେଲର କର୍ମଚାରୀ ସୁମିତ ରାଓଙ୍କୁ ମଙ୍ଗଳବାର ଦିନ ପୋଲିସ ଗିରଫ କରିଥିଲା | ଜାନୁଆରୀ ୫ ତାରିଖରେ ସୁମିତ କାନାଡ଼ାର ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା |
ସୂଚନାଯୋଗ୍ୟ ଯେ, କାନାଡିୟାନ ମହିଳା ଏକ ଇଭେଣ୍ଟ ମେନେଜମେଣ୍ଟ କମ୍ପାନୀରେ କାମ କରନ୍ତି | କାମ ପାଇଁ ତାଙ୍କୁ ବରାବର ଭାରତକୁ ଆସିବାକୁ ପଡିଥାଏ | ମହିଳା ଅଭିଯୋଗ କରିଛନ୍ତି ଯେ, ସେ ଏକ ହୋଟେଲରେ ରହିଥିଲେ | ଅଚାନକ ହୋଟେଲର ଜଣେ କର୍ମଚାରୀ ତାଙ୍କ ରୁମ ଭିତରକୁ ପଶି ମହିଳାଙ୍କ ସହ ସେଲଫି ନେବା ବାହାନାରେ ତାଙ୍କ ସହ ଦୁର୍ବ୍ୟବହାର କରିଥିଲା | ଏହାପରେ ମହିଳା ହୋଟେଲ ମ୍ୟାନେଜରଙ୍କୁ ଘଟଣା ସମ୍ପର୍କରେ କହିଥିଲେ ଏବଂ ସନ୍ତାକୃଜ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ |
ଅଭିଯୁକ୍ତ ବିରୋଧରେ ଧାରା ୩୫୪ ଏବଂ ୩୫୪ (ଡି) ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି | ଘଟଣାର ତଦନ୍ତ କରାଯାଉଛି ବୋଲି ପୋଲିସ କହିଛି |