ଜନ୍ମରୁ ନାହିଁ ଗୋଟିଏ ହାତ ଓ ଅଧା ଗୋଡ, ସାହାସ ବଳରେ କରୁଛନ୍ତି ବିଶ୍ୱ ଭ୍ରମଣ

Published By : Prameya-News7 Bureau | August 09, 2022 IST

କାନାଡା ୦୯/୦୮: କାନାଡ଼ାର ୨୫ ବର୍ଷୀୟ ଯୁବତୀ ଚାର୍ଲି ରୁଷୋ ଅନେକ ବିକାର ସହିତ ଜନ୍ମ ହୋଇଥିଲେ । କିନ୍ତୁ ନିଜ ଶାରୀରିକ ସମସ୍ୟାକୁ ନିଜର ସ୍ୱପ୍ନ ପୂରଣ ମାର୍ଗରେ କେବେ ବାଧକ ହେବାକୁ ଦେଇନାହାନ୍ତି । ଜନ୍ମରୁ ତାଙ୍କର ଗୋଟିଏ ହାତ ଓ ଅଧା ଗୋଡ଼ ନାହିଁ । କିନ୍ତୁ ଏହା କେବେ ତାଙ୍କ ବାଟ ଓଗାଳି ପାରିନି ।

wp:html
/wp:html

ଜୀବନ କେମିତି ବଞ୍ଚିବା କଥା, ତାହା ଏବେ ସେ ବିଶ୍ୱକୁ ଦେଖାଇଛନ୍ତି । ସର୍ବଦା ହସି ହସି ନିଜର ସମସ୍ତ ସ୍ୱପ୍ନ ପୂରଣ କରିବାକୁ ସେ ଆଗେଇ ଚାଲିଛନ୍ତି । ଚାର୍ଲିଙ୍କ ମା’ କମ୍‌ ବୟସରେ ଗର୍ଭଧାରଣ କରିଥିଲେ । ଗର୍ଭପାତ କରିବାକୁ ଚେଷ୍ଟା କରି ମଧ୍ୟ ସେ ବିଫଳ ହେଲେ । ଏହା ପରେ ବିଭିନ୍ନ ବିକାର ସହିତ ଜନ୍ମିତ ଚାର୍ଲି ଦୈନନ୍ଦିନ ଜୀବନରେ ଅନେକ ଆହ୍ୱାନର ସମ୍ମୁଖୀନ ହେଲେ ।

ଏହା ସତ୍ତ୍ୱେ ସାଧାରଣ ପିଲା ଭଳି ତାଙ୍କର ଲାଳନପାଳନ ହେଲା । ସେ କଦାପି ନିଜକୁ ଦିବ୍ୟାଙ୍ଗ ବୋଲି ଭାବିନଥିଲେ । କିନ୍ତୁ ବଡ଼ ହେବା ପରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଲେ । ଏହି ଜୀବନ ତାଙ୍କ ପାଇଁ ଖୁବ୍‌ ଜଟିଳ ଥିଲା । ଏବେ କିନ୍ତୁ ନିଜକୁ ନିମ୍ନ କରିବା ପାଇଁ ସେ କୌଣସି ସୁଯୋଗ ଦେଉନାହାନ୍ତି । ନିଜ ଶରୀରରୁ ନେଇ ସେ ଖୁବ୍‌ ଖୁସି ।

ଏହି ଖୁସି ସହିତ ସେ ବିଶ୍ୱ ଭ୍ରମଣରେ କିଛି ବର୍ଷ ବିତାଇ ଦେଲେଣି । ମେକ୍ସିକୋ, ଅଷ୍ଟ୍ରେଲିଆ ଓ ବ୍ରିଟେନ ଭଳି ଦେଶ ଭ୍ରମଣର ସୁଯୋଗକୁ ସେ ବେଶ ଉପଭୋଗ କରିଛନ୍ତି । ଚାର୍ଲି ଏବେ ଜଣେ ସଫଳ ରେଡିଓ ସଂଚାଳିକା । ଲୋକେ ତାଙ୍କ ସହ ବେଶ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରୁଛନ୍ତି ଏବଂ ତାଙ୍କୁ ସାହାଯ୍ୟ କରୁଛନ୍ତି ।

ତାଙ୍କ ମତରେ, ସମୟ ନଷ୍ଟ ନ କରି ଜୀବନ ଜିଇଁବା ଉଚିତ୍‌ । ଚାର୍ଲି ଏବେ ଟିକ୍‌ଟକ୍‌ ଓ ଇନ୍‌ଷ୍ଟ୍ରାଗ୍ରାମ୍‌ ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବେଶ ଲୋକପ୍ରିୟ । ଏଠାରେ ସେ ନିଜ ଭ୍ରମଣର ଫଟୋ ଓ ତଥ୍ୟ ସବୁ ଶେୟାର କରୁଛନ୍ତି । କୋଭିଡ୍‌ ଯୋଗୁ ତାଙ୍କ ଭ୍ରମଣ ବାଧାପ୍ରାପ୍ତ ହୋଇଥିଲା । ଏବେ ତାଙ୍କ ଯାତ୍ରା ପୁଣି ଆରମ୍ଭ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.