କାନାଡାର ୨୫ ମୋଷ୍ଟ ଓ୍ବାଣ୍ଟେଡଙ୍କ ଲିଷ୍ଟରେ ଗୋଲ୍ଡି ବରାର; ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡର ରହିଛି ମୁଖ୍ୟ ଅଭିଯୁକ୍ତ

Published By : Prameya-News7 Bureau | May 02, 2023 IST

ନୂଆଦିଲ୍ଲୀ, ୦୨/୦୫: କାନାଡାର ମୋଷ୍ଟ ଓ୍ବାଣ୍ଟେଡ ଅପରାଧୀ ତାଲିକାରେ ଗୋଲ୍ଡି ବରାର । କାନାଡ ସରକାର ମଙ୍ଗଳବାର ସତିନ୍ଦର ସିଂହ ବରାର ଓରଫ୍ ଗୋଲ୍ଡି ବରାରକୁ ଦେଶର ୨୫ କୁଖ୍ୟାତ ଅପରାଧୀ ତାଲିକାରେ ସାମିଲ୍ କରିଛନ୍ତି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାକାଣ୍ଡ ମାଷ୍ଟରମାଇଣ୍ଡ ହେଉଛି ଗୋଲ୍ଡି ବରାର। ଆହୁରି ମଧ୍ୟ ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଘନିଷ୍ଠ ସହଯୋଗୀ। ଜୁନ୍‌ ୨୦୨୨ରେ ଭାରତ, ଇଣ୍ଟରପୋଲ୍‌ର ରେଡ୍‌ ନୋଟିସ୍‌ ପାଇବା ପରଠାରୁ ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସ୍‌ ବରାରକୁ ଖୋଜୁଛି। ଏନେଇ ନୂଆଦିଲ୍ଲୀରେ କାନାଡିଆନ ହାଇ କମିଶନ ଏକ ବିବୃତ୍ତିରେ କହିଛନ୍ତି।

୨୯ ବର୍ଷୀୟ ବରାର ବିରୋଧରେ ଭାରତରେ ହତ୍ୟା, ହତ୍ୟା ଉଦ୍ୟମ, ହତ୍ୟା ଷଡ଼ଯନ୍ତ୍ର, ଅବୈଧ ହତିଆର ଚାଲାଣ ନେଇ ସଙ୍ଗୀନ ଅପରାଧି ମାମଲା ରହିଛି।ସୂଚନା ଅନୁଯାୟୀ, ବରାରର ଏକ ଫଟୋ ଅନ୍ୟ ୨୫ ଅପରାଧୀଙ୍କ ସହ ଟରୋଣ୍ଟୋର ୟୋଙ୍ଗ-ଦୁନଦାସ ସ୍କୋୟାରରେ ପ୍ରଦର୍ଶିତ ହେଉଛି। ଅବଶ୍ୟ ତାହା ଉପରେ କୌଣସି ପୁରସ୍କାର ରାଶି ଘୋଷଣା କରାଯାଇନାହିଁ ଏବଂ ସେ ତାଲିକାର ୧୫ ତମ ସ୍ଥାନରେ ରହିଛି।

୨୦୧୭ରେ ବରାର ଷ୍ଟୁଡେଣ୍ଟ ଭିଜା ମାଧ୍ୟମରେ କାନାଡ ପହଞ୍ଚିଥିଲା। କାନାଡାରେ ମଧ୍ୟ ଏଭଳି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଥିଲା ଏବଂ ତା’ ଉପରେ ତଦନ୍ତ ଜାରି ରହିଛି। ପଞ୍ଜାବ ମୁକ୍ତସରର ଗୋଲ୍ଡି ବରାର ସେବେଠାରୁ ଫେରାର୍‌ ରହିଛି। ବିବୃତ୍ତିରେ କୁହାଯାଇଛି ବରାର ଭାରତରେ କରିଥିବା ଅପରାଧ ଖୁବ୍ ଗମ୍ଭୀର। ଆହୁରି ମଧ୍ୟ କୁହାଯାଇଛି ଯେ ବରାର କାନାଡାରେ ରହିଛି ଏବଂ ତା’ର ଅପରାଧିକ କାର୍ଯ୍ୟକଳାପ ଯୋଗୁଁ ଲୋକଙ୍କୁ କ୍ଷତି ରହିଛି।

ସୂଚନାଯୋଗ୍ୟ, ମେ ୨୯ ୨୦୨୨ରେ ପଞ୍ଜାବ ମନସା ଜିଲ୍ଲାରେ ସୁଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପଞ୍ଜାବ ପୋଲିସ୍‌ ଗୋଲ୍ଡି ବରାର ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇକୁ ମୁସେଓ୍ବାଲା ହତ୍ୟାରେ ଅଭିଯୁକ୍ତ କହିଛି। ୨୦୧୫ରେ ଗିରଫ ହେବା ପରଠାରୁ ବିଶ୍ନୋଇ ଜେଲ୍‌ରେ ରହିଛି। ଏମିତିକି ସେ ଜେଲ୍‌ରୁ ଥାଇ ମଧ୍ୟ ତାହାର ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛି। ନଭେମ୍ବର ୨୦୨୨ରେ ଡେରା ସଚ୍ଚା ସୌଦାର ଅନୁଗାମୀ ପ୍ରଦୀପ କୁମାରର ହତ୍ୟାକାରୀ ହେଉଛି ଗୋଲ୍ଡି ବରାର।

ଗୋଲ୍ଡି ବରାର ନାଁରେ ଗତ ବର୍ଷ ଅଗଷ୍ଟ ୨୬​‌ରେ ମନସା କୋର୍ଟରେ ୧୮୫୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି ପୋଲିସ୍‌। ଚାର୍ଜସିଟ୍‌ରେ ଜେଲ୍‌ରେ ଥିବା ବିଶ୍ନୋଇ ଏବଂ ଜଗ୍ଗୁ ଭଗବାନପୁରିଆ ସହ ୧୨ରୁ ଅଧିକଙ୍କ ନାଁ ରହିଛି। ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସର ମୁଖ୍ୟ ପ୍ରମୋଦ ବନଙ୍କ ନେତୃତ୍ବ​‌ରେ ଗଠିତ ଏସଆଇଟି ମୁସେଓ୍ବାଲା ହତ୍ୟାକାଣ୍ଡର ତଦନ୍ତ କରୁଛି। ବନ କହିଛନ୍ତି ବିଶ୍ନୋଇ ମୁଖ୍ୟ କାର୍ପଟଦାର ଏବଂ ସେ ଏହି ହତ୍ୟାକାଣ୍ଡ ନେଇ ସ୍ବୀକାର କରିଛି ଏବଂ ଅକାଳୀ ଯୁବ ନେତା ମିଦୁଖେରାଙ୍କ ହତ୍ୟାର ପ୍ରତିଶୋଧ ପାଇଁ ଏପରି କରିଥିବା ନେଇ ସ୍ବୀକାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.