ଆସ୍ଥା ଭୋଟ୍ ପୂର୍ବରୁ ଇସ୍ତଫା ଦେଇ ପାରନ୍ତି ଉଦ୍ଧବ, ସହଯୋଗୀଙ୍କୁ ଦେଲେ ଧନ୍ୟବାଦ

Published By : Prameya-News7 Bureau | June 29, 2022 IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ବୁଧବାର ମନ୍ତ୍ରିମଣ୍ଡଳ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ବୈଠକରେ ଉଦ୍ଧବ ପରାଜୟ ମାନି ନେଇଥିବା ତାଙ୍କ ବୟାନରୁ ସଙ୍କେତ ମିଳିଛି। ସେ କେବେ ବି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି। ବିଶ୍ଵସ୍ତ ସୂତ୍ରରୁ ଏହା ମଧ୍ୟ ପ୍ରକାଶ ଯେ, ସୁପ୍ରିମକୋର୍ଟର ରାୟ ତାଙ୍କ ସପକ୍ଷରେ ନ ଆସିଲେ ସେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ।

ବୈଠକରେ ଉଦ୍ଧବ ନିଜର ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିଜ ଲୋକ ଧୋକା ଦେଇଥିବା ଭାବ ବିହ୍ଵଳ ସ୍ଵରରେ କହିଛନ୍ତି ଉଦ୍ଧବ। ମେଣ୍ଟ ସହଯୋଗୀ ହିସାବରେ ଅଢେଇ ବର୍ଷ ପର୍ଯ୍ୟନ୍ତ ସମର୍ଥନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। କରୋନା ସଂକ୍ରମିତ କାରଣରୁ ଅନଲାଇନ ମାଧ୍ୟମରେ ବୈଠକରେ ସାମିଲ୍ ହୋଇଥିଲେ ଉପ ମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ଵାର ଏବଂ କ୍ୟାବିନେଟ୍ ମନ୍ତ୍ରୀ ଛଗନ ଭୁଜବଲ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ଦ୍ଵାରା ଡକାଯାଇଥିବା ଆସ୍ଥା ଭୋଟ୍‌କୁ ଅନୁମତି ପ୍ରଦାନ କରନ୍ତି ତେବେ ଉଦ୍ଧବ ଠାକରେ ପଦରୁ ଇସ୍ତଫା ଦେବେ। ଖବର ଏହା ମଧ୍ୟ ରହିଛି, ଉଦ୍ଧବ ଆସ୍ଥା ଭୋଟ୍‌ରେ ଉପସ୍ଥିତ ରହିବେ ନାହିଁ ଏବଂ ଏହା ପୂର୍ବରୁ ହିଁ ଇସ୍ତଫା ଦେବେ। ବୈଠକ ସମୟରେ ଭାବୁକ ନଜର ଆସୁଥିବା ଉଦ୍ଧବ ତାଙ୍କୁ ନିଜ  ଲୋକ ଧୋକା ଦେଇଥିବା ବାରମ୍ବାର ଉଲ୍ଲେଖ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.