ଦ୍ୱିତୀୟବାର ଉପମୁଖ୍ୟମନ୍ତ୍ରୀ ହେବେ କି ସିସୋଦିଆ, ଜାଣନ୍ତୁ କେଉଁଠି ଫଶିଛି ପେଞ୍ଚ?

Published By : Prameya-News7 Bureau | August 10, 2024 IST

ନୂଆଦିଲ୍ଲୀ :  ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଜେଲରୁ ଜାମିନରେ ମୁକୁଳିଛନ୍ତି। ପାଖପାଖି ୧୭ ମାସ ପରେ ସେ ଜେଲରୁ ପଦାକୁ ଆସିଛନ୍ତି। ସେ ଜେଲରୁ ବାହାରିବା ପରେ ରାଜନୈତିକ ଅଳିନ୍ଦରେ ଦିଲ୍ଲୀ ସରକାରରେ ଉପମୁଖ୍ୟମନ୍ତ୍ରୀ ରୂପେ ତାଙ୍କର ସମ୍ଭାବିତ ପ୍ରତ୍ୟାବର୍ତ୍ତନ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ଘଟଣାକ୍ରମ ଆମଆଦମୀ ପାର୍ଟି (ଆପ) ସଦସ୍ୟ ଓ ନେତାଙ୍କ ମଧ୍ୟରେ ସିସୋଦିଆଙ୍କୁ ନେଇ ଆଗ୍ରହ ବୃଦ୍ଧି କରିଛି। 

କେତେକ ନେତା କହୁଛନ୍ତି ସିସୋଦିଆଙ୍କୁ ଅବିଳମ୍ବେ ମନ୍ତ୍ରୀ ରୂପେ ନିଯୁକ୍ତ କରିଦିଆଯିବା ଦରକାର। କାରଣ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ବି ଜେଲରେ ଅଛନ୍ତି। ଏଣୁ ସମର୍ଥକ ଚାହୁଁଛନ୍ତି  ସରକାରର ନେତୃତ୍ୱ ନେବାକୁ ସିସୋଦିଆ ଏକମାତ୍ର ବିକଳ୍ପ। ତେବେ ସିସୋଦିଆ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ହେବାରେ କିଛି ଟେକ୍ନିକାଲ ବାଧା ବି ରହିଛି। ଏଣୁ ମନିଷ ସିସୋଦିଆଙ୍କ ତତ୍କାଳ ପୁନର୍ନିଯୁକ୍ତିରେ ସମସ୍ୟା ଉପୁଜିପାରେ। କାରଣ କୌଣସି ମନ୍ତ୍ରୀଙ୍କ ନିଯୁକ୍ତିର ବିଶେଷାଧିକାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରହିଛି। ଯେହେତୁ କେଜରିୱାଲ ଏବେବି ଜେଲରେ ଅଛନ୍ତି ଏଣୁ ଆବଶ୍ୟକ କାଗଜପତ୍ରରେ ସ୍ୱାକ୍ଷର କରିବାକୁ ସେ ଅସମର୍ଥ। ଏଣୁ କେଜରିୱାଲ ସିସୋଦିଆଙ୍କ ନିଯୁକ୍ତି ନିମନ୍ତେ ସୁପାରିଶ କରିପାରିବେନି। 

ଏହା ଛଡା ଦିଲ୍ଲୀରେ କ୍ୟାବିନେଟ ମନ୍ତ୍ରୀଙ୍କ ନିଯୁକ୍ତି ପ୍ରକ୍ରିୟା ଅନ୍ୟ ରାଜ୍ୟର ନିଯୁକ୍ତି ପ୍ରକ୍ରିୟା ଠାରୁ ଭିନ୍ନ। ଏଥି ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଏଲଜି)ଙ୍କ ସଚିବାଳୟ ମାଧ୍ୟମରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ସହମତି ପରେ ନୂଆ ମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ହୋଇପାରେ। ଏହା ଛଡା ଦିଲ୍ଲୀ ବିଧାନସଭା ନିମନ୍ତେ ନିର୍ବାଚନ ମଧ୍ୟ ପାଖେଇ ଆସିଲାଣି। ଆଉ ୬ ମାସ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଣୁ ସିସୋଦିଆଙ୍କ ଭୂମିକାକୁ ନେଇ ଆପରେ ଏବେ ବିତର୍କ ଆରମ୍ଭ ହୋଇଯାଇଛି। 

କିଛି ଲୋକଙ୍କ ପରାମର୍ଶ ସରକାରରେ ସିସୋଦିଆଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ, ତେବେ ଆଉ କେତେକ କହୁଛନ୍ତି ସଙ୍ଗଠନାତ୍ମକ ଦାୟିତ୍ୱ ନିମନ୍ତେ ସିସୋଦିଆ ଉପଯୁକ୍ତ। ତେବେ ସିସୋଦିଆ ଓ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଏବେ ପାର୍ଟି ନେତାଙ୍କ ଲାଗି ଚିନ୍ତାର ବିଷୟ ପାଲଟିଛି। ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ମନିଷ ସିସୋଦିଆଙ୍କୁ ହିଁ ନେବାକୁ ପଡିବ। ସେ ସରକାରରେ ସାମିଲ ହୋଇ ଅନ୍ୟ ମନ୍ତ୍ରୀମାନଙ୍କୁ ସରକାରୀ କର୍ତ୍ତବ୍ୟରେ ମାର୍ଗଦର୍ଶନ କରିବାକୁ ପସନ୍ଦ କରିବେ କି ନିର୍ବାଚନ ପାଇଁ ସଙ୍ଗଠନ ସୁଦୃଢ କରିବେ ଏବେ ନିଷ୍ପତ୍ତି ତାଙ୍କ ଉପରେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.