H3N2 ଭୂତାଣୁ ସଂକ୍ରମଣରେ ରକ୍ଷା କରିପାରିବ କି କୋଭିଡ ଭାକ୍ସିନ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର
14/03/2023 at 9:24 PM

ନୂଆଦିଲ୍ଲୀ ୧୪।୩: କୋଭିଡ ପରେ ଦେଶରେ ଏବେ ଇନଫ୍ଲୁଏଞ୍ଜା ଏଚ୍୩ଏନ୍୨ ଭାଇରସ ନୂଆ ବିପଦ ଭାବେ ଉଭା ହୋଇଛି। ଦିଲ୍ଲୀ-ଏନସିଆରରୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କରେ ଏବେ ଇନଫ୍ଲୁଏଞ୍ଜା ବ୍ୟାପୁଛି। ଏହି ଭୂତାଣୁକୁ ନେଇ ଲୋକଙ୍କ ମଧ୍ୟରେ ଏବେ ଆତଙ୍କ ଖେଳିଯାଇଛି। ଏଥିରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠୁଛି, କୋଭିଡ ଭାକ୍ସିନ ଇନଫ୍ଲୁଏଞ୍ଜାରୁ ରକ୍ଷା କରିପାରିବ କି? ତେବେ ଆସନ୍ତୁ ଜାଣିବା କଣ କହୁଛନ୍ତି ଏକ୍ସପର୍ଟ।
ଗୁରୁଗ୍ରାମର ସି.କେ.ବିରଲା ହସ୍ପିଟାଲରେ ପଲ୍ମୋନୋଲଜି ବିଭାଗର ମୁଖ୍ୟ ଡା. କୂଲଦୀପ କୁମାର ଗ୍ରୋଭର କହନ୍ତି ଯଦିଓ କୋଭିଡ ଓ ଏଚ୍୩ଏନ୍୨ ଏକ ପ୍ରକାର ବ୍ୟାପୁଛି ତେବେ ଉଭୟ ଭୂତାଣୁ ମଧ୍ୟରେ ଅନେକ ଅନ୍ତର ରହିଛି । କୋଭିଡର ଭାଇରସ ସାର୍ସକୋଭ-୨ ଓ ଇନଫ୍ଲୁଏଞ୍ଜା-ଏ ଏଚ୍୩ଏନ୨ ଭାଇରସ୍ ଦ୍ୱାରା ବ୍ୟାପୁଛି। ଏହି ଭାଇରସ ଅନେକ ଦଶନ୍ଧୀ ଧରି ରହିଛି ଓ ପ୍ରତିବର୍ଷ ଇଫ୍ଲୁଏଞ୍ଜା ମାମଲା ଆସୁଛି। ଦେଶରେ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଏପରି କେସ୍ ବଢିଥାଏ।

ଏଥିରେ କୋଭିଡ ଭାଇରସ ୩ ବର୍ଷ ପୂର୍ବରୁ ଆସିଥିଲା ଓ ଏହା ଅଧିକ ବିପଦଜନକ ଥିଲା। ତେବେ ଫ୍ଲୁ ଯୋଗୁ ଏତେ ବିପଦ କେବେ ଉପୁଜି ନାହିଁ। ହେଲେ ଯେଉଁମାନଙ୍କଠାରେ ଏକାଧିକ ରୋଗ ରହିଛି ସେମାନଙ୍କ ଲାଗି ବିପଦଜନକ ହେଉଛି। ସେହିପରି ଯେହେତୁ କୋଭିଡ ଓ ଇନଫ୍ଲୁଏଞ୍ଜା ଭାଇରାସ ଅଲଗା ଅଲଗା ଏହି ରୋଗରୁ ରକ୍ଷା ପାଇବା ଲାଗି ଟିକା ମଧ୍ୟ ଅଲଗା ଅଲଗା ବୋଲି ଡାକ୍ତର କୂଲଦୀପ କହିଛନ୍ତି। ଏଣୁ କୋଭିଡ ଟିକା ଇନଫ୍ଲୁଏଞ୍ଜାରୁ ବର୍ତ୍ତିବାରେ ସହାୟକ ହେବ ନାହିଁ ବୋଲି କହିଛନ୍ତି।
ଫ୍ଲୁର ଯେଉଁ ଭାକ୍ସିନ ରହିଛି ତାହା ଇନଫ୍ଲୁଏଞ୍ଜାରୁ ରକ୍ଷା କରିପାରେ। ଏହି ଭାକ୍ସିନ ଏଚ୩ଏନ୨ରୁ ରକ୍ଷା କରିପାରିବ। ତେବେ କୋଭିଡ ଭାଇରସ ସହ ଏହି ଭୂତାଣରୁ କୌଣସି ପ୍ରକାର ମେଳ ନାହିଁ। ଏଣୁ ଯଦି କିଛି ମାସ ପୂର୍ବରୁ କୋଭିଡ ଭାକ୍ସିନ ନେଇଛନ୍ତି ଓ ଭାବୁଛନ୍ତି ଇନଫ୍ଲୁଏଞ୍ଜାରେ କିଛି ହେବନି ସେପରି ଭାବିବା ଭୁଲ ବୋଲି ସେ କହିଛନ୍ତି। ଏବେ ସବୁଠୁ ଜରୁରି ହେଲା ଲୋକଙ୍କୁ ଇନଫ୍ଲୁଏଞ୍ଜାରୁ ନିଜକୁ ରକ୍ଷା କରିବା। ଏଣୁ ମାସ୍କ ବ୍ୟବହାର କରିବା ସହ ବାରମ୍ବାର ହାତ ଧୋଇବାକୁ ସେ କହିଛନ୍ତି। ଯଦି ୩ ଦିନରୁ ଅଧିକ ସମୟ ହେଲା କାସ ଲାଗି ରହୁଥାଏ, ସର୍ଦ୍ଦିଥାଏ ଓ ହାଲୁକା ଜ୍ୱର ରହୁଥାଏ ତେବେ ତୁରନ୍ତ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରନ୍ତୁ।