କ’ଣ ଅନିଲ କୁମ୍ବଲେଙ୍କ ଖାସ୍ କ୍ଲବରେ ସାମିଲ୍ ହୋଇ ପାରିବେ ଅଶ୍ଵିନ ? ଦରକାର ଆଉ ଏତିକି ଓ୍ଵିକେଟ୍
14/02/2023 at 5:27 PM

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ରେକର୍ଡ ନିଜ ନାମରେ କରି ଚାଲିଛନ୍ତି ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ। ଟେଷ୍ଟ କ୍ରିକେଟ୍ରେ ନିଜ ଦମରେ ଭାରତୀୟ ଦଳକୁ ଜିତାଉଥିବା ଅଶ୍ଵିନ ଯଦି ଦିଲ୍ଲୀ ଟେଷ୍ଟରେ ଆଉ ତିନୋଟି ଓ୍ଵିକେଟ୍ ଦଖଲ କରନ୍ତି ତେବେ କ୍ରିକେଟ୍ରେ ଏକ ସ୍ଵତନ୍ତ୍ର ମାଇଲଷ୍ଟୋନ ହାସଲ କରି ପାରିବେ।
ନାଗପୁରରେ ଖେଳା ଯାଇଥିବା ବର୍ଡର-ଗାଭାସ୍କର ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଇନିଂସ ଏବଂ ୧୩୨ ରନରେ ହରାଇଛି। ଏହି ମ୍ୟାଚ୍ରେ ଅଶ୍ଵିନ ଭାରତ ପକ୍ଷରୁ ସର୍ବାଧିକ ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନ ପ୍ରଥମ ଇନିଂସରେ ତିନୋଟି ଓ୍ଵିକେଟ୍ ନେଇଥିବା ବେଳେ ଦ୍ଵିତୀୟ ଇନିଂସରେ ୫ ଓ୍ଵିକେଟ୍ ନେଇଛନ୍ତି। ଫେବୃଆରୀ ୧୭ରେ ଦିଲ୍ଲୀରେ ଆରମ୍ଭ ହେବ ଦ୍ଵିତୀୟ ଟେଷ୍ଟ। ଯଦି ଉକ୍ତ ଟେଷ୍ଟରେ ଅଶ୍ଵିନ ୩ ଓ୍ଵିକେଟ୍ ନିଅନ୍ତି ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ୧୦୦ ଓ୍ଵିକେଟ୍ ପୂରଣ ହେବ।
ଅନିଲ କୁମ୍ବଲେଙ୍କ ପରେ ଅଶ୍ଵିନ ଦ୍ଵିତୀୟ ଭାରତୀୟ ବୋଲର ହେବେ ଯିଏ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୦ କିମ୍ବା ତଦୁର୍ଦ୍ଧ୍ଵ ଓ୍ଵିକେଟ୍ ନେଇଛନ୍ତି। କୁମ୍ବଲେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦ଟି ଟେଷ୍ଟର ୩୮ଟି ପାଳିରୁ ୧୧୧ ଓ୍ଵିକେଟ୍ ନେଇଛନ୍ତି। ଅନ୍ୟପକ୍ଷେ ଅଶ୍ଵିନ ଅଦ୍ୟାବଧି ୧୯ଟି ମ୍ୟାଚ୍ର ୩୬ଟି ଇନିଂସରେ ୯୭ ଓ୍ଵିକେଟ୍ ନେଇଛନ୍ତି। ତାଙ୍କ ପଛରେ ଅଛନ୍ତି ହରଭଜନ ସିଂ। ସେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮ଟି ଟେଷ୍ଟର ୩୫ଟି ଇନିଂସରେ ୯୫ ଓ୍ଵିକେଟ୍ ଦଖଲ କରିଛନ୍ତି।
ଏ ଖବର ପଢନ୍ତୁ- ଅଶ୍ଵିନଙ୍କ କମାଲ୍ ପରେ ବିପଦରେ ସଚିନଙ୍କ ଏହି ବଡ଼ ରେକର୍ଡ
ମୋଟାମୋଟି ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍ ନେବାର ରେକର୍ଡ ଇଂଲଣ୍ଡର ଇଆନ ବୋଥମାଙ୍କ ନାମରେ ରହିଛି। ସେ ୩୬ଟି ଟେଷ୍ଟର ୬୬ଟି ଇନିଂସରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୪୮ ଟେଷ୍ଟ ଓ୍ଵିକେଟ୍ ନେଇଛନ୍ତି।