ହିଣ୍ଡେନବର୍ଗ ରିପୋର୍ଟଙ୍କୁ ସତ ବୋଲି କହିବା ଠିକ୍‌ ନୁହେଁ, ଆଦାନୀ ଗ୍ରୁପ୍‌ ବିରୋଧରେ କ’ଣ ପ୍ରମାଣ ରହିଛି ? : ସୁପ୍ରିମକୋର୍ଟ

Published By : Prameya-News7 Bureau | November 24, 2023 IST

ନୂଆଦିଲ୍ଲୀ: ଶେୟାର ବଜାର ନିୟାମକ ସେବି, ଆଦାନୀ ମାମଲାର ଯାଞ୍ଚ କରୁଛି। ଏଥିପାଇଁ ସେବି ଅତିରିକ୍ତ ସମୟ ମଧ୍ୟ ନେଇଛି। ହେଲେ ବର୍ତ୍ତମାନ ସୁପ୍ରିମକୋର୍ଟ ଆଉ ଅଧିକ ସମୟ ଦେବାକୁ ଚାହୁନଥିବା ଭଳି ପ୍ରତୀତ ହେଉଛି। ଶୁକ୍ରବାର ଏହି ମାମଲାର ସୁପ୍ରିମକୋର୍ଟ ଶୁଣାଣି ହୋଇଥିଲା। ଏହି ଶୁଣାଣି ସମୟରେ ସୁପ୍ରିମକୋର୍ଟ ସେବି ବ୍ୟତୀତ ଯାଚିକାକର୍ତ୍ତାଙ୍କୁ ମଧ୍ୟ ଅନେକ ପ୍ରଶ୍ନ ପଚାରିଥିଲେ। କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଏମିତିରେ ସଙ୍କେତ ମିଳୁଛି ଯେ, କୋର୍ଟ ନିଜ ନିଷ୍ପତ୍ତିରେ ସେବି ପାଇଁ କିଛି ଅତିରିକ୍ତ ନିର୍ଦ୍ଦେଶ ପାରିତ କରିପାରେ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ହିଣ୍ଡେନବର୍ଗ ରିପୋର୍ଟକୁ ସତ ବୋଲି ମାନିନେବା ଠିକ୍ ନୁହେଁ। ସୁପ୍ରିମକୋର୍ଟ ଆହୁରି କହିଛନ୍ତି ହିଣ୍ଡେନବର୍ଗ ରିପୋର୍ଟର ସତ୍ୟତାର ପରୀକ୍ଷଣର କୌଣସି ସାଧନ ନାହିଁ। ଏଥିପାଇଁ ଆମେ ସେବିକୁ ମାମଲାର ଯାଞ୍ଚ କରିବାକୁ କହିଥିଲୁ। ଖାଲିସେତିକି ନୁହେଁ ପ୍ରଧାନ ବିଚାରିପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଯାଚିକାକର୍ତ୍ତାଙ୍କ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ପଚାରିଥିଲେ ଯେ, ଆପଣ ପାଖରେ ଆଦାନୀ ଗ୍ରୁପ୍‌ ବିରୋଧରେ କ’ଣ ପ୍ରମାଣ ଅଛି ?  କୋର୍ଟ ପଚାରିଥିଲେ ଯେ, ’’କ’ଣ ଆମକୁ ବିଦେଶୀ ରିପୋର୍ଟକୁ ସତ ଭାବିନେବା ଦରକାର ? ଆମେ ରିପୋର୍ଟକୁ ଖାରଜ କରୁନାହୁଁ  କିନ୍ତୁ ଆମକୁ ପ୍ରମାଣ ଦରକାର।’’

ଆହୁରି ପଢ଼ନ୍ତୁ: ଗୌତମ ଆଦାନୀଙ୍କୁ ଝଟକା ! ଏହି କମ୍ପାନି ଉପରେ ଜରିମାନା ଲଗାଇଲା BSE-NSE

ଏହା ସହ କୋର୍ଟ କହିଥିଲେ ଯେ, ନିବେଶକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇ କ’ଣ ପଦକ୍ଷେପ ନିଆଯାଇଛି। ଏହା ଉପରେ ସେବି ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ନିୟାମକ ତରଫରୁ ଏଭଳି ମାମଲା ଜଣାପଡ଼ିବା ପରେ ସର୍ଟ ସେଲ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନାଥାଉକି, ଜାନୁଆରୀରେ ହିଣ୍ଡେନବର୍ଗ ଏକ ରିପୋର୍ଟରେ ଆଦାନୀ ସମୂହ ଉପରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲା। ଏହା ପରେ ଆଦାନୀ ସମୂହର ଶେୟାରରେ ଦ୍ରୁତ ହାସ ଦେଖିବାକୁ ମିଳିଥିଲା। ଆଉ ବଜାରରେ କମ୍ପାନିର ପୁଞ୍ଜି ପ୍ରାୟ ୧୫୦ ବିଲିୟନ ଡଲାର କମ୍ ହୋଇଥିଲା। ଏମିତିକି ନିବେଶକଙ୍କୁ ମଧ୍ୟ ପ୍ରଭାବ ପଡ଼ିଥିଲା ତଥା ବେଶ୍‌ କ୍ଷତି ସହିବାକୁ ପଡ଼ିଥିଲା।  

ଆହୁରି ପଢ଼ନ୍ତୁ: ଗୌତମ ଆଦାନୀଙ୍କ ସମ୍ପତ୍ତି ହୋଇଗଲା ଅଧା, ଦିପାବଳୀରେ ଦେଖିବାକୁ ମିଳିଲା ସବୁଠୁ ବଡ଼ କ୍ଷତି

ଏହି କ୍ଷତି ପରେ ସୁପ୍ରିମକୋର୍ଟରେ ଭିନ୍ନ ଭିନ୍ନ ଯାଚିକା ରୁଜୁ ହୋଇଥିଲା। ଯାଚିକାର ଶୁଣାଣି ପରେ ସୁପ୍ରିମକୋର୍ଟ ମାର୍ଚ୍ଚରେ ଏକ ପ୍ୟାନେଲ ଗଠନ କରିଥିଲେ। ଏହା ସହ ସେବିକୁ ମାମଲାର ଯାଞ୍ଚ ଆଦେଶ ଦେଇଥିଲେ । କିନ୍ତୁ ୨ ମାସ ପରେ ସେବି ପୁଣି ଅଧିକ ସମୟ ପାଇଁ ଅପିଲ୍ କରିଥିଲା। ସୁପ୍ରିମକୋର୍ଟ ୩ ମାସର ସମୟ ଦେଇଥିଲେ। ଯାହା ଅଗଷ୍ଟ ୧୪ରେ ଶେଷ ହୋଇଥିଲା। ଅବଶ୍ୟ ସେବି କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି କିନ୍ତୁ ଏବେବି ଚୂଡ଼ାନ୍ତ  ରିପୋର୍ଟକୁ ଅପେକ୍ଷା ରହିଛି। ସେପଟେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ପ୍ୟାନେଲ ମେ ମାସରେ ଏକ ଅନ୍ତରୀଣ ରିପୋର୍ଟରେ ଆଦାନୀ ସମୂହକୁ କ୍ଲିନ୍ ଚିଟ୍ ଦେଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.