ଛାତ୍ରୀମାନଙ୍କୁ ଦେଶର ନେତୃତ୍ୱ ନେବାକୁ ଆହ୍ୱାନ୍; ଜାଣନ୍ତୁ ଅଭିଭାଷଣରେ ଆଉ କଣ କହିଲେ ରାଷ୍ଟ୍ରପତି ?
10/02/2023 at 7:12 PM

ଭୁବନେଶ୍ୱର ୧୦/୦୨: ଶୁକ୍ରବାର ରମାଦବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ତଥା ଆର୍ଡି ଓମେନ୍ସ ୟୁନିଭର୍ସିଟିର କୂଳପତି ପ୍ରଫେସର୍ ଡକ୍ଟର ଗଣେଶୀ ଲାଲ ଉପସ୍ଥିତ ଥିଲେ। ଏଥିରେ ସେ ୪ ଜଣଙ୍କୁ ସମ୍ମାନଜନକ ଡିଲିଟ୍ ଉପାଧି ପ୍ରଧାନ କରିଛନ୍ତି। ପରେ ରାଷ୍ଟ୍ରପତି ତାଙ୍କର ଦିକ୍ଷାନ୍ତ ଅଭିଭାଷଣ ଦେଇଥିଲେ। ଏହି ସମୟରେ ରମାଦେବୀ କଲେଜ୍ର ପଢ଼ିଲା ବେଳେ ତାଙ୍କର ୪୦ ବର୍ଷ ପୂର୍ବର ସ୍ମୃତି ମନେପକାଇ ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ଅଭିଭାଷଣରେ ସେ ଛାତ୍ରୀମାନଙ୍କୁ ଦେଶର ନେତୃତ୍ୱ ନେବାକୁ ଆହ୍ୱାନ ଦେଇଛନ୍ତି।
ରାଷ୍ଟ୍ରପତି ମୁର୍ମୁ ଦେଶ ଗଠନରେ ମହିଳାଙ୍କ ଭୂମିକାକୁ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ”ଭଗବାନ ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ଭେଦଭାବ ରଖିନାହାଁନ୍ତି। ଶକ୍ତି ଓ ସାମର୍ଥ୍ୟ କ୍ଷେତ୍ରରେ ଉଭୟ ପୁରୁଷ ଓ ସ୍ତ୍ରୀ ସମାନ। ଆଜି ଭାରତର ନାରୀମାନେ ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଇଛନ୍ତି। ସାହିତ୍ୟ ସଂଗୀତ ଠାରୁ ଆରମ୍ଭ କରି କ୍ରୀଡ଼ା ଓ ରାଜନୀତି ପର୍ଯ୍ୟନ୍ତ ସବୁଠି ଏବେ ମହିଳାଙ୍କ ସଫଳତାର ଚର୍ଚ୍ଚା। ଏହି ସଂସ୍କୃତି ଆଜିର ନୁହେଁ, ବହୁ ପୂର୍ବରୁ ମାଳତୀ ଦେବୀ, କୁନ୍ତଳା କୁମାରୀ ସାବତଙ୍କ ଠାରୁ ଆରମ୍ଭ କରି ତୁଳସୀ ମୁଣ୍ଡାଙ୍କ ପର୍ଯ୍ୟନ୍ତ ହଜାର ହଜାର ମହିଳା ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନାରୀ ସଶକ୍ତିକରଣ ଆଉ ସ୍ଲୋଗାନ ହୋଇ ରହିନାହିଁ, କି ଝିଅମାନେ ପୁଅଙ୍କ ଠାରୁ ଆଗରେ କି ନାଁ ତା ଉପରେ ଆଉ ବିତର୍କ ହେଉନାହିଁ। ଝିଅମାନେ ଆଜି ପାଇଲଟ, ବୈଜ୍ଞାନିକ। ମଙ୍ଗଳ ମିଶନରୁ ଗଗନଜାନ ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ନେତୃତ୍ବର ଝଲକ ସାମ୍ନାକୁ ଆସିଛି। ଏଭଳି ସମୟରେ ଛାତ୍ରୀମାନେ ଆଗକୁ ଆସି ନେତୃତ୍ବ ନିଅନ୍ତୁ ବୋଲି ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି”।

ରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତକୁ ବିଶ୍ୱଗୁରୁ କରିବାକୁ ଚେଷ୍ଟା ଜାରି ରହିଛି। ତେଣୁ ଛାତ୍ରୀମାନେ ନିଜ ଉପରକୁ ଦାୟିତ୍ୱ ନେଇ ପ୍ରଚେଷ୍ଟା ଜାରୀ ରଖନ୍ତୁ। ପାଠପଢ଼ା ପରେ ସଂସାରର ଜୀବନ, ବିଶ୍ୱବିଦ୍ୟାଳୟରେ କିଭଳି ସାମର୍ଥ୍ୟ ରଖିବେ ସେନେଇ ନିଜ ଶକ୍ତିକୁ ଜାଣନ୍ତୁ। ଅନ୍ୟପଟେ ରାଷ୍ଟ୍ରପତି ନିଜର ଉଦାହରଣ ଦେଇ କହିଛନ୍ତି ‘’ମନରେ ଥିଲେ ବଳ, କରିପାରେ ମୁଁ ଦୁନିଆ ଟଳମଳ’’।