ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ୱାନ, ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ମାଓବାଦୀଙ୍କ ବିରୋଧ

Published By : Prameya-News7 Bureau | December 02, 2022 IST

ରାୟଗଡା: ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ମାଓବାଦୀମାନେ ତୀବ୍ର ବିରୋଧ କରିଛନ୍ତି । ସିପିଆଇ(ମାଓବାଦୀ) ସଂଗଠନର ବାସଧାରା-ଘୁମୁସୁର-ନାଗାବଳୀ(ବାଘୁନା) ଡିଭିଜନାଲ କମିଟି ପକ୍ଷରୁ ପ୍ରେସ ବିବୃତି ଏବଂ ଲିଫଲେଟ ଜରିଆରେ ବିରୋଧ କରାଯାଇଛି । ଆଜି ରାୟଗଡ଼ାର ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟକୁ ପ୍ରେସ ବିବୃତି ସହ ଲିଫଲେଟ ପଠାଇ ବାଘୁନା ଡିଭିଜନାଲ କମିଟିର ସମ୍ପାଦିକା ରୀତା ବିରୋଧ କରିଥିବା ମାଓବାଦୀଙ୍କ ତରଫରୁ ସୂଚନା ଦିଆଯାଇଛି । ଏଥିସହ ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ଧୁମ୍ଧାମରେ ପାଳନ କରିବା ପାଇଁ ଆହ୍ୱାନ ଜଣାଯାଇଛି ।

ପ୍ରେସ ବିବୃତିରେ ୧୩ ଦଫା ଦାବି ମାଓବାଦୀମାନେ ଉପସ୍ଥାପନ କରିଛନ୍ତି । ମୁଖ୍ୟତଃ ଖଣି ଭିତିକ ଶିଳ୍ପ ବନ୍ଦ କରିବା ସହ କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ସହ ରାଜ୍ୟ ସରକାର ଯେଉଁ ବିସ୍ଥାପନ କରୁଛନ୍ତି ତାହା ବନ୍ଦ ଏବଂ ବନ୍ଦ ପଡ଼ିଥିବା ସମସ୍ତ କାରଖାନା ପୁନଃ ଚାଲୁ କରିବାକୁ ଦାବି କରାଯାଇଛି । ସରକାର ବିଶ୍ୱ ବାଣିଜ୍ୟ ସଂଗଠନ ଏବଂ ବହୁଦେଶୀୟ କମ୍ପାନିଙ୍କ ଦଲାଲଗିରି କରୁଥିବା ଅଭିଯୋଗ କରାଯିବା ସହ କମ୍ପାନୀ ମାନଙ୍କରେ ୭୫ ପ୍ରତିଶତ ଓଡ଼ିଶାବାସୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଦାବି କରିଛନ୍ତି ମାଓବାଦୀ ।

ସେହିଭଳି କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ଅଧିକ ଗୁରୁତ୍ୱ ଦେବା ସହ ପ୍ରଦୂଷଣକାରୀ କମ୍ପାନି ବନ୍ଦ କରିବା ପାଇଁ ଦାବି କରାଯାଇଛି । ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ତୁରନ୍ତ ପୂରଣ ସହ ଫରେଷ୍ଟ କନଭର୍ସନ ରୁଲ୍-୨୦୨୨କୁ ବନ୍ଦ କରିବା ପାଇଁ ମାଓବାଦୀମାନେ ପ୍ରେସ ବିବୃତିରେ ଦାବି ଉପସ୍ଥାପନ କରିଛନ୍ତି । ଏଣୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଯେଉଁ ମେକ ଇନ୍ ଓଡ଼ିଶା କନକ୍ଲେଭ୍ କରାଯାଉଛି ତାହା କେବଳ ପ୍ରଚାର ସର୍ବସ୍ୱ ବୋଲି ମାଓବାଦୀମାନେ ଅଭିଯୋଗ କରିଛନ୍ତି ।

ଜଳ, ଜମି, ଜଙ୍ଗଲକୁ ବହୁଦେଶୀୟ କମ୍ପାନୀ ହାତରେ ଟେକି ଦେବା ପାଇଁ ଏହା ଏକ ପର୍ବ ବୋଲି ପ୍ରେସ ବିବୃତିରେ ଉଲ୍ଲେଖ ରହିଛି । ଆସନ୍ତା ନିର୍ବାଚନରେ ଭୋଟରଙ୍କୁ ଭ୍ରମିତ କରିବା ପାଇଁ ଏହା ଉଦ୍ଦିଷ୍ଟ ରହିଥିବା ମଧ୍ୟ ବିବୃତିରେ ଉଲ୍ଲେଖ ଅଛି । ଅପରପକ୍ଷରେ ଯେଉଁ ଲିଫଲେଟ ଜାରି କରାଯାଇଛି ସେଥିରେ ପୁଲିସ ସହିତ ସିଆରପିଏଫ୍, ବିଏସଏଫ୍, ଏସଓଜି, ଡିଭିଏଫ୍ ଲୋକଙ୍କ ଶତ୍ରୁ ବୋଲି ଲେଖାଯିବା ସହ ସେମାନଙ୍କୁ ବିରୋଧ କରିବା ନିମନ୍ତେ ପିଏଲଜିଏରେ ଯୋଗଦାନ କରିବାକୁ ଆହ୍ୱାନ ଜଣାଯାଇଛି ।

ପ୍ରତ୍ୟେକ ଗାଁରେ ମିଲିଶିଆ ଗଠନ ସହ ସଂଗଠନ ମଜଭୁତ କରିବାକୁ ମଧ୍ୟ ନିବେଦନ ହୋଇଛି । ଏଣେ ଡଙ୍ଗରିଆ କନ୍ଧ ବିକାଶ ପରିଷଦର କାର୍ଯ୍ୟକୁ ମଧ୍ୟ ମାଓବାଦୀମାନେ ବିରୋଧ କରିଛନ୍ତି । ପରିଷଦ ତରଫରୁ ଯେଉଁ ମିଛ ପ୍ରଚାର ଓ କାର୍ଯ୍ୟକଳାପ ଜାରି ରହିଛି ତାକୁ ବିରୋଧ କରିବା ପାଇଁ ମାଓବାଦୀଙ୍କ ତରଫରୁ ନିବେଦନ କରାଯାଇଛି । କିଛି ଡଙ୍ଗରିଆ ଯୁବକ ପୁଲିସର ଇନଫର୍ମର ସାଜିଥିବା ଅଭିଯୋଗ କରାଯାଇଛି ଲିଫଲେଟରେ । ସେମାନେ ହିଁ ଲୁଚି ଛପି ପୋଷ୍ଟର ମାଓବାଦୀଙ୍କ ବିରୁଦ୍ଧରେ ମାରୁଥିବା କୁହାଯାଇଛି ।

ଏ ସମ୍ପର୍କରେ ଏସପି ବିବେକାନନ୍ଦ ଶର୍ମାଙ୍କୁ ପଚାରିବାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଇଁ ବିଭିନ୍ନ ସ୍ଥାନରେ ଜବାନ ମୁତୟନ ଅଛନ୍ତି ଓ କମ୍ବିଂ ଅପରେସନ ଜାରି ରହିଛି । ମାଓବାଦୀଙ୍କ ସମସ୍ତ କାର୍ଯ୍ୟକୁ ପ୍ରତିହତ କରିବା ପାଇଁ ପୁଲିସ ସମସ୍ତ ପଦକ୍ଷେପ ଗ୍ରହଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.