ଆଇନ ଉଲଙ୍ଘନ କରୁଛି ଆମାଜନ୍: ପ୍ରବର୍ତ୍ତନ ନିର୍ଦେଶାଳୟକୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କଲା CAIT

Published By : Prameya-News7 Bureau | December 07, 2020 IST

ନୂଆଦିଲ୍ଲୀ ୦୭/୧୨ : ଅଲ ଇଣ୍ଡିଆ ବ୍ୟବସାୟୀଙ୍କ ବାଣିଜ୍ୟ ସଂଗଠନ କନଫେଡେରେସନ୍ (CAIT) ଆମାଜନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି | ରବିବାର ଦିନ ସେ ପ୍ରବର୍ତନ ନିର୍ଦେଶାଳୟକୁ ଚିଠି ଲେଖି ବଜାରର ମୂଲ୍ୟ ବିଷୟରେ ଇ-କମର୍ସ କମ୍ପାନୀ ଆମାଜନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି। ଚିଠିରେ ଦାବି ହୋଇଛି ଯେ ଆମାଜନର ମୂଲ୍ୟ ଯୋଗୁଁ ବଜାରରେ ଛୋଟ ବ୍ୟବସାୟୀଙ୍କ ସ୍ଥିତି ଖରାପ ହେଉଛି। CAIT ଚିଠିରେ ଜରୁରୀ ତଥ୍ୟ ମଧ୍ୟ ରଖିଛି। ଏଥିରେ ପ୍ରମାଣ କରାଯାଇଛି ଯେ ଇ-କମର୍ସ କମ୍ପାନୀ ୨୦୧୨ ରୁ ଭାରତୀୟ ଆଇନ ଓ ନିୟମାବଳୀ ଉଲଙ୍ଘନ କରିଆସୁଛି। ସଂଗଠନ ଏକ ବୟାନରେ କହିଛି ଯେ ଏହା ଯୋଗୁଁ ଛୋଟ ବଡ କୋଟି କୋଟି ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡୁଛି। ସରକାର ଏଫଡ଼ିଆଇ ନୀତି ଓ ବିଦେଶୀ ନିୟମାବଳୀ ପ୍ରବନ୍ଧନ ଆଇନରେ ବ୍ୟବସାୟୀଙ୍କ ବ୍ୟବସାୟ ସଂରକ୍ଷିତ ରଖିବାକୁ ସବୁ ବ୍ୟବସ୍ଥା କରିଥିବା ସତ୍ତ୍ୱେ ବ୍ୟବସାୟୀଙ୍କର କ୍ଷତି ହେଉଛି।

CAIT ଦାବି କରିଛି ଯେ ଆମାଜନ୍ ଲଗାତାର ନିୟମ ଉଲଙ୍ଘନ କରିବା ସତ୍ତ୍ୱେ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଥିପାଇଁ ଦେଶର ୭ କୋଟି ବ୍ୟବସାୟୀଙ୍କ ସହ ଶ୍ରମିକ ଓ ତାଙ୍କ ଜଡିତ ଲୋକ ଠକେଇର ଶିକାର ହେଉଛନ୍ତି ଏବଂ ଅସହାୟ ଅନୁଭବ କରୁଛନ୍ତି।

ଚିଠିରେ କୁହାଯାଇଛି, ଘରୋଇ କ୍ଷୁଦ୍ର ବ୍ୟବସାୟୀଙ୍କ ଭାବନା ସହ ଇ-କମର୍ସ କମ୍ପାନୀର ମନମୁଖୀ ବ୍ୟବହାର ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି ଏବଂ ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ଏ ସମ୍ପର୍କରେ ଆମାଜନ୍ ଇଣ୍ଡିଆକୁ ଇ-ମେଲ୍ ଜରିଆରେ ପଚରାଯାଇଛି। କିନ୍ତୁ କମ୍ପାନୀ ତରଫରୁ କୌଣସି ଜବାବ୍ ଆସିନାହିଁ | CAIT ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ସେ ପ୍ରବର୍ତନ ନିର୍ଦେଶାଳୟକୁ ଲେଖିଥିବା ଚିଠିରେ ପ୍ରଶ୍ନ କରିଛନ୍ତି ଯେ, ଆମାଜନ୍ ସେଲର୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଅନ୍ୟାନ୍ୟ ସହାୟକ କମ୍ପାନୀଗୁଡିକ ଏବଂ ବେନାମୀ କମ୍ପାନୀ ମାଧ୍ୟମରେ ଇ-କମର୍ସ କମ୍ପାନୀ କିଭଳି ବହୁ-ବ୍ରାଣ୍ଡ କ୍ଷୁଦ୍ର ବ୍ୟବସାୟରେ ସକ୍ରିୟ ଅଛି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.