ମେ ୨୨ରେ ମନ୍ତ୍ରିମଣ୍ଡଳ ପୁନର୍ଗଠନ, ପୂର୍ବାହ୍ନରେ ଶପଥ, ସମ୍ଭାବ୍ୟ ମନ୍ତ୍ରୀ ଓ ବାଚସ୍ପତି ତାଲିକାରେ ୭ ଜଣଙ୍କୁ ନେଇ ଚର୍ଚ୍ଚା

Published By : Prameya-News7 Bureau | May 20, 2023 IST

ଭୁବନେଶ୍ଵର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାକୁ ଯାଉଛି। ସୋମବାର ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବା ନେଇ ସରକାରୀ ସୂତ୍ରରୁ ପ୍ରକାଶ। ସେହିଦିନ ପୂର୍ବାହ୍ନ ୯ଟା୩୦ରେ ନୂଆ ମନ୍ତ୍ରୀମାନେ ଶପଥ ଶପଥ ନେବେ। ଅନ୍ୟପଟେ ଗସ୍ତ ସାରି ରାଜ୍ୟପାଳ ଗଣେଶୀ ଲାଲ ଆସନ୍ତାକାଲି ଓଡ଼ିଶା ଫେରୁଛନ୍ତି। ଲୋକସେବା ଭବନ କନଭେନସନ ହଲ୍‌ରେ ରାଜ୍ୟପାଳ ମନ୍ତ୍ରୀମାନଙ୍କ ଶପଥ ପାଠ କରାଇବେ। ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ୩ଟି ପଦ ଖାଲି ରହିଛି।

ନବ ଦାସଙ୍କ ହତ୍ୟା ପରେ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ଵ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସମ୍ଭାଳୁଛନ୍ତି। ଗତ ୧୨ ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସହିତ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେବାରୁ ଆଉ ୨ଟି ମନ୍ତ୍ରୀ ପଦ ଖାଲି ପଡିଛି। ବାଚସ୍ପତି ଏବଂ ଦୁଇ ମନ୍ତ୍ରୀଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ ମନ୍ତ୍ରିମଣ୍ଡଳରେ ପୁନର୍ଗଠନ ନେଇ ଚର୍ଚ୍ଚା ଲାଗି ରହିଥିଲା। ଆଉ ସୋମବାର ଚର୍ଚ୍ଚା ଉପରେ ବିରାମ ଲାଗୁଛି। ଖାଲି ପଡ଼ିଥିବା ୩ ମନ୍ତ୍ରୀ ପଦ ଏବଂ ବାଚସ୍ପତି ପଦକୁ ନେଇ ୭ ଜଣ ବିଧାୟକ ଦୌଡ଼ରେ ଅଛନ୍ତି।

ଏହି ନେତାଙ୍କୁ ମିଳିପାରେ ମନ୍ତ୍ରୀ ପଦ

ଖାଲି ପଡ଼ିଥିବା ୩ ମନ୍ତ୍ରୀ ପଦକୁ ନେଇ ଦୌଡ଼ରେ ଅଛନ୍ତି ତିନି ବିଧାୟକ। ନିକଟରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ପିପିଲି ବିଧାୟକ ରୁଦ୍ର ମହାରଥୀ ଏବଂ ଝାରସୁଗୁଡ଼ା ଉପନିର୍ବାଚନରେ ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନ ମଜବୁତ କରିବା ଉଦ୍ଦେେଶ୍ୟରେ ବିକ୍ରମଙ୍କୁ ପୁଣି ଥରେ ମନ୍ତ୍ରିମଣ୍ଡଳକୁ ଫେରାଇ ନିଆଯାଉଥିବା ରାଜନୈତିକ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ସେହିପରି ନବ ଦାସଙ୍କ ଝିଅ ଦୀପାଳିଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି।

ବାଚସ୍ପତି ଦୌଡ଼ରେ ଏହି ୪ ବରିଷ୍ଠ ନେତା

ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଓଡ଼ିଶା ବିଧାନସଭାର ବାଚସ୍ପତି ପଦ ଖାଲି ପଡ଼ିଛି। ଏହି ପଦ ପାଇଁ ଦୌଡ଼ରେ ୪ ନେତା ଅଛନ୍ତି। କେନ୍ଦ୍ରାପଡ଼ା ସଦର ବିଧାୟକ ଶଶୀ ଭୂଷଣ ବେହେରା, ବଡ଼ମ୍ବାର ବିଧାୟକ ଦେବୀ ପ୍ରସାଦ ମିଶ୍ର, ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ ସାମଲ୍ ଏବଂ ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥୀ ଏହି ୪ ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣଙ୍କୁ ବାଚସ୍ପତି କରାଯିବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.