ରାଜ୍ୟ କ୍ୟାବିନେଟ୍ରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ, ‘ମୋ ଘର’ ଉପରେ ଲାଗିଲା ମୋହର
29/05/2023 at 11:35 AM

ଭୁବନେଶ୍ୱର ୨୯।୦୫ : ଶେଷ ହେଲା ରାଜ୍ୟ କ୍ୟାବିନେଟ୍ ବୈଠକ । ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ଏହି ବୈଠକରେ ୧୮ଟି ପ୍ରସ୍ତାବକୁ ମୋହର ମରାଯାଇଛି । ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ।
ଖବର ଅନୁଯାୟୀ, ସୋମବାର ପୂର୍ବାହ୍ନ ସମୟରେ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ୧୮ଟି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏହି ପ୍ରସ୍ତାବ ମଧ୍ୟରୁ ଗୋଟିଏ ‘ମୋ ଘର’ ଯୋଜନା ରହିଛି । ରାଜ୍ୟ ସରକାର ‘ମୋ ଘର’ ନାମରେ ଏକ ନୂଆ ଯୋଜନା ଆଣିଛନ୍ତି । ଏହି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ଘର ତିଆରି ପାଇଁ ରାଜ୍ୟ ସରକାର ସହାୟତା ଦେବେ । ଏହାସହ ଦୁଇଟି ସିନେମାକୁ ମଧ୍ୟ କର ମୁକ୍ତ କରାଯାଇଛି । ‘ଡେଲିଭରୀ ବୟ’ ଏବଂ ଜ୍ବିଗାଟୋ’ କର ମୁକ୍ତ ନେଇ କ୍ୟାବିନେଟ୍ ମୋହର ମାରିଛି । ପୂର୍ବରୁ ଏହି ଦୁଇଟି ଫିଲ୍ମକୁ କର ମୁକ୍ତ ଘୋଷଣା କରିଥିଲେ ରାଜ୍ୟ ସରକାର ।
ସେହିପରି ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଓ ପ୍ରଗତିଶୀଳ ଡାକ୍ତରୀ ଶିକ୍ଷା ଯୋଗାଇବା ପାଇଁ ‘ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା ହେବ । ଏଥିପାଇଁ କ୍ୟାବିନେଟରେ ୩୩୦.୧୭ କୋଟିର ପ୍ରସ୍ତାବ ଆଗତ ହୋଇଛି । ଏହା ରାଜ୍ୟର ସରକାରୀ ଡାକ୍ତରଖାନାରେ ଡାକ୍ତର ଏବଂ ପାରାମେଡିକଙ୍କ ନିଯୁକ୍ତି ସୁନିଶ୍ଚିତ କରିବ।
ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବଲାଙ୍ଗିର ଜିଲ୍ଲା ପାଇଁ ୬ଟି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ୨୨୨ଟି ଗାଁର ୧.୬୧ ଲକ୍ଷରୁ ଅଧିକ ବାସିନ୍ଦା ଉପକୃତ ହେବେ।
ଲୋକଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତାକୁ ପ୍ରାଥମିକତା ଦେଖି କ୍ୟାବିନେଟ ବୈଠକରେ ଗଜପତିର ଜିଲ୍ଲା ପାଇଁ ୨ଟି ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୩୪୬ଟି ଗାଁର ୧ ଲକ୍ଷ ୩୧ ହଜାରରୁ ଅଧିକ ବାସିନ୍ଦା ଉପକୃତ ହେବେ।
ଉଭୟ ଖରିଫ ଓ ରବି ଫସଲ ଋତୁରେ ଚାଷଜମିକୁ ଜଳ ସୁନିଶ୍ଚିତ କରିବା ପାଇଁ ‘ଜଳକ୍ଳିଷ୍ଟ ଅଞ୍ଚଳରେ ଭୂତଳ ଜଳର ପୋଷଣୀୟ ବିନିଯୋଗ’ ଯୋଜନାରେ ୩୬୪.୪୦ କୋଟିର ଖର୍ଚ୍ଚକୁ କ୍ୟାବିନେଚ ମଞ୍ଜୁର କରିଛି । ଏଥିରେ କ୍ଲଷ୍ଟର ଭିତ୍ତିରେ ଅଗଭୀର ନଳକୂପ ଖନନ ସହ ସୌର ଶକ୍ତିରେ ଜଳ ଉତ୍ତୋଳନ ବ୍ୟବସ୍ଥା ଦ୍ୱାରା ଉତ୍ପାଦନ ଓ ଚାଷୀଙ୍କ ଆୟ ବୃଦ୍ଧି ପାଇବ।
You Can Read :