ବିଶ୍ବକୁ ସବୁଜ ଶକ୍ତି ଯୋଗାଇବାର ହବ୍ ପାଲଟିବ ଭାରତ, ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନକୁ କେନ୍ଦ୍ରର ମଞ୍ଜୁରୀ, ଏତିକି କୋଟିରେ ମୁକ୍ତ ପ୍ରଦୂଷଣ ମୁକ୍ତ ହେବ ଦେଶ

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଳୀ, ୦୪/୦୧: ଦେଶକୁ ପ୍ରଦୂଷଣ ମୁକ୍ତ କରିବା ଦିଗ​ରେ ଭାରତ ସରକାରଙ୍କ ଆଉ ଏକ ପଦକ୍ଷେପ। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନକୁ ମିଳିଲା କେନ୍ଦ୍ରର ଅନୁମତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପ୍ରୋଜେକ୍ଟକୁ ଅନୁମତି ମିଳିଛି। ବିଶ୍ବରେ ଭାରତକୁ ଏହି ସ୍ବଚ୍ଛ ଇନ୍ଧନ ଉତ୍ପାଦନର ହବ୍ କରିବା ନେଇ ଏହାର ଲକ୍ଷ୍ୟ ରହିଛି। ଏହି ପ୍ରୋଜେକ୍ଟ ପାଇଁ ୧୯,୭୪୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ ବୁଧବାର ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆବଣ୍ଟିତ ଅର୍ଥରୁ ୧୭,୪୯୦ କୋଟି ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ। ପାଇଲଟ୍‌ ପ୍ରୋଜେକ୍ଟ ପାଇଁ ୧,୪୬୬ କୋଟି ଟଙ୍କାର ଖର୍ଚ୍ଚ ହେବ। ରିସର୍ଚ୍ଚ ଆଣ୍ଡ୍ ଡେଭେଲପମେଣ୍ଟ ପାଇଁ ୪୦୦ କୋଟି ଏବଂ ୩୮୮ କୋଟି ଅନ୍ୟାନ୍ୟ ଉପାଦାନପାଇଁ ଖର୍ଚ୍ଚ ହେବ। ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରାଳୟ ତରଫରୁ ଏହାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ଗାଇଡଲାଇନ୍ ଜାରି କରାଯିବ।

ଏହି ମିଶନ ଅନୁଯାୟୀ, ବାର୍ଷିକ ସର୍ବନିମ୍ନ ୫ ମିଲିୟନ ମେଟ୍ରିକ୍ ଟନ୍‌ (ଏମଏମଟି) ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷମତା ବିକାଶକୁ ପ୍ରୋତ୍ସାହନ କରିବା ସହ, ୨୦୩୦ ସୁଦ୍ଧା ଦେଶରେ ପ୍ରାୟ ଅତିରିକ୍ତ ୧୨୫ ଜିଡବ୍ଲୁ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରହିଛି। ଏହି ମିଶନ ଦ୍ବାରା ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ହାଇଡ୍ରୋଜେନ୍ ଉତ୍ପାଦନ ବୃଦ୍ଧି ହେବା ଦ୍ବାରା ପ୍ରାୟ ୧ ଲକ୍ଷ କୋଟି ଜୀବାଶ୍ମ ଇନ୍ଧନ ଆମଦାନୀ କମ୍ ହୋଇପାରିବ। ଏହାଦ୍ବାରା ୨୦୩୦ ସୁଦ୍ଧା ୫୦ ଏମଏମଟି ଗ୍ରୀନ ହାଉସ୍ ଗ୍ୟାସ୍ ଉତ୍ପନ୍ନ ମଧ୍ୟ କମ୍ ହେବ।

ସରକାରୀ ବିବୃତ୍ତି ଅନୁଯାୟୀ, ମିଶନ ଦ୍ବାରା ଅନେକ ବ୍ୟାପକ ଲାଭ ହେବ। ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଫଳରେ ଏହାର ରପ୍ତାନୀ ସୁଯୋଗ ସୃଷ୍ଟି ହେବ, ଶିଳ୍ପରେ ଗତିଶୀଳତା, କାର୍ବନ ଡାଇଅକ୍ସାଇଡ୍ ହ୍ରାସ, ଆମଦାନୀ ହେଉଥିବା ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ, ସ୍ବଦେଶୀ ଉତ୍ପାଦନ କ୍ଷମତାର ବିକାଶ, ରୋଜଗାର ସୃଷ୍ଟି ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ହେବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ୨୦୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଧୀନତା ଦିବସ ଉଦବୋଧନ ସମୟରେ ଜାତୀୟ ହାଇଡ୍ରୋଜେନ୍ ମିଶନ ଆରମ୍ଭ କରିବାନେଇ ଘୋଷଣା କରିଥିଲେ। ଏହାର ଉଦ୍ଦେ୍ୟଶ ସବୁଜ ହାଇଡ୍ରୋଜେନ୍ ନିର୍ମାଣ ପାଇଁ ପ୍ରତ୍ୟକ୍ଷ ପ୍ରୋତ୍ସହନ ପ୍ରଦାନ କରିବା ଏବଂ ସବୁଜ ଶକ୍ତି ଉତ୍ସରୁ ହାଇଡ୍ରୋଜେନ୍ ଉତ୍ପାଦନ କରିବା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.