ଅନୁସୂଚିତ ଜନଜାତିଙ୍କ ଲାଗି ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ୧୨ ଜାତି ହେଲେ ଜନଜାତି
14/09/2022 at 8:04 PM

ନୂଆଦିଲ୍ଲୀ ୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ଅନୁସୂଚିତ ଜନଜାତି ନେଇ ବଡ଼ ନିଷ୍ପତ୍ତି ହୋଇଛି। ଏଥିରେ ଛତିଶଗଡ଼, ହୀମାଚଳ ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶର କେତେକ ଆଦିବାସୀ ସମୂଦାୟକୁ ଅନୁସୂଚିତ ଜନଜାତି ଶ୍ରେଣୀରେ ସାମିଲ ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଇଛି। କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଓ ଅନୁରାଗ ଠାକୁର ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।
ଠାକୁର କହିଛନ୍ତି ଯେ ସିରମୋର ଜିଲ୍ଲାର ଟ୍ରାନ୍ସଗିରି କ୍ଷେତ୍ରର ହଟ୍ଟି ସମୂଦାୟ ଅନେକ ଦିନରୁ ସେମାନଙ୍କ ଲାଗି ଅନୁସୂଚିତ ଜନଜାତି ଦର୍ଜା ଦାବି କରିଆସୁଥିଲେ। ଉତ୍ତରାଖଣ୍ଡର ଜୌନସାର କ୍ଷେତ୍ରରେ ବସବାସ କରିଆସୁଥିବା ଏହି ଜାତିର ଲୋକଙ୍କୁ ପୂର୍ବରୁ ଏହି ସୁବିଧା ଉପଲବ୍ଧ ଥିଲା। ଏଣୁ ହଟ୍ଟି ସମୂଦାୟକୁ ଅନୁସୂଚିତ ଜନଜାତି ସମୂଦାୟ ଅନ୍ତର୍ଭୁକ୍ତ ହୋଇଛି।
ସେହିପରି ଜନଜାତି ବ୍ୟାପାରମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ବିଝିଆ ସମୂଦାୟକୁ ଓଡ଼ିଶା ଓ ଝାଡ଼ଖଣ୍ଡରେ ଅନୁସୂଚିତ ଜନଜାତି ଶ୍ରେଣୀରେ ରଖା ଯାଇଥିବା କହିଛନ୍ତି, ତେବେ ଛତିଶଗଡରେ ଏହାନଥିଲା। ହେଲେ ଏ ବାବଦେ ସମସ୍ତ ଔପଚାରିକତା ପୂରଣ କରାଯିବା ସହ ଗୃହୀତ କରିବା ଲାଗି ମନ୍ତ୍ରୀମଣ୍ଡଳରେ ଉପସ୍ଥାପିତ କରାଯାଇଥିଲା ଓ ତାହା ଗୃହୀତ ହୋଇ ଯାଇଥିବା କହିଛନ୍ତି। ସେହିପରି ତାମିଲନାଡୁର ପର୍ବତାଞ୍ଚଳରେ ବସବାସ କରୁଥିବା ନାରିକୁର୍ଭର ଓ କୁରୁଭିକିରଣକୁ ବି ଏହି ସୂଚୀରେ ସାମିଲ କରିବା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଇଛି।
ସେହିପରି କର୍ଣ୍ଣାଟକରେ ବିଟ୍ଟା-କୁରୁବା ସମୁଦାୟଙ୍କୁ କଡୁ କୁରୁବା ଭଳି ଆଦିବାସୀ ଦର୍ଜା ଦିଆଯାଇଛି। ମୁଣ୍ଡା କହିଛନ୍ତି ଯେ ୫ ରାଜ୍ୟଙ୍କ ବିଭିନ୍ନ ଆଦିବାସୀ ସମ୍ପର୍କିତ ପ୍ରସଙ୍ଗରେ ନିଷ୍ପତ୍ତି ହୋଇଛି, ଯାହା ଦୀର୍ଘ ବର୍ଷରୁ ବିଚାରାଧୀନ ଥିଲା। ସୂଚନା ଅନୁସାରେ ଉତ୍ତରପ୍ରଦେଶର ୧୩ ଜିଲ୍ଲାରେ ଗୋଣ୍ଡ ଜାତିର ଲୋକଙ୍କୁ ଅନୁସୂଚିତ ଜାତିରୁ ହଟାଇ ଅନୁସୂଚିତ ଜନଜାତି ଅନ୍ତର୍ଭୁକ୍ତ କରାଯାଇଛି।