CAAକୁ ନେଇ ଦିଲ୍ଲୀରେ ହିଂସା ଅନିୟନ୍ତ୍ରିତ, ବିଭିନ୍ନ ସ୍ଥାନରେ ଟେକାପଥର ମାଡ, ହେଡ କନଷ୍ଟେବଲଙ୍କ ସମେତ ୩ ମୃତ, ୩୭ ସୁରକ୍ଷା କର୍ମୀ ଆହତ
24/02/2020 at 10:32 PM

ନୂଆଦିଲ୍ଲୀ ୨୪।୨: ଜାତୀୟ ରାଜଧାନୀ ଦିଲ୍ଲୀରେ ନାଗରିକତା (ସଂଶୋଧନ) ଆଇନ (ସିଏଏ) ବିରୋଧରେ ବିକ୍ଷୋଭ ସୋମବାର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବିଭିନ୍ନ ସ୍ଥାନରେ ଆଇନ ସମର୍ଥକ ଓ ବିରୋଧୀ ମୁହାଁ ମୁହିଁ ହୋଇଥିବା ବେଳେ ମୌଜପୁରରେ ଟେକାପଥର ମାଡ ହୋଇଛି। ପ୍ରଦର୍ଶନକାରୀ ଭୀଷଣ ପୋଡାଜଳା କରିଛନ୍ତି। ଫଳରେ ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗା ଭଳି ପରିସ୍ଥିତି ଉପୁଜିଥିବା ବେଳେ ଜଣେ ହେଡ କନଷ୍ଟେବଲ ଓ ୨ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଲୋକଙ୍କ ଆକ୍ରମଣରେ ଶାହଦରା ଡିସିପିଙ୍କ ସମେତ ୩୭ ଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ଜଣାପଡିଛି।
ତେବେ ସୋମବାର ଦିଲ୍ଲୀରେ ଘଟିଥିବା ଘଟଣା ଏକ ଷଡଯନ୍ତ୍ର ବୋଲି ଏବେ କୁହାଯାଉଛି। ଆମେରିକା ରାଷ୍ଟ୍ରପତିଙ୍କ ପରିବାରର ଭାରତ ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ଏପରି ଉଦ୍ୟମ କରାଯାଇଛି। ତେବେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ନିଜେ ପୋଲିସ କଣ୍ଟ୍ରୋଲରୁମରେ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।
କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ପରିସ୍ଥିତି ନେଇ ବିଳମ୍ବିତ ସନ୍ଧ୍ୟାରେ ବୟାନ ଦେଇଛନ୍ତି। ସୋମବାରର ଘଟଣାରେ ଜଣେ ପୋଲିସ କର୍ମଚାରୀ ଶହିଦ ହୋଇଥିବା ବେଳେ ୧୭ ଜଣ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଥିବା ଭଲ୍ଲା କହିଛନ୍ତି। ସେ କହିଛନ୍ତି ଯେ ଗୋଟିଏ ଗୋଟିଏ ସ୍ଥାନରେ ଏକକାଳୀନ ହଜାର ହଜାର ଲୋକ ଏକତ୍ର ହେବା ଏକ ସୁନିୟୋଜିତ ଷଡଯନ୍ତ୍ର ବୋଲି ଜଣାପଡିଯାଇଛି। ତେବେ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ପ୍ରଦର୍ଶନ ସ୍ଥଳ ଆଖପାଖରେ ସୁରକ୍ଷା କଡାକଡି କରାଯାଇଛି ବୋଲି କହିଛନ୍ତି ।