ଶାହିନ ବାଗ୍: ସୁପ୍ରିମକୋର୍ଟ ବାର୍ତ୍ତାକାରଙ୍କ ନିକଟରେ ସୁରକ୍ଷା ପ୍ରସଙ୍ଗ ଉଠାଇଲେ ଆନ୍ଦୋଳନକାରୀ
22/02/2020 at 4:37 PM

ନୂଆଦିଲ୍ଲୀ ୨୨।୨: ନାଗରିକ(ସଂଶୋଧନ) ଆଇନ (ସିଏଏ), ଏନଆରସି ଓ ଏନପିଆରକୁ ନେଇ ଦିଲ୍ଲୀ ଶାହିନ ବାଗ୍ ଅଞ୍ଚଳରେ ଚାଲିଥିବା ଆନ୍ଦୋଳନକୁ ସେଠାରୁ ହଟାଇବା ଲାଗି ସୁପ୍ରିମକୋର୍ଟଙ୍କ ଉଦ୍ୟମ ବିଫଳ ହେଉଥିବା ଦେଖାଯାଇଛି। ଆନ୍ଦୋଳନକୁ କୋର୍ଟ ମୌଳିକ ଅଧିକାର କହିଥିଲେ। ଏଣୁ ଆନ୍ଦୋଳନ ଜାରି ରହୁ ହେଲେ ସ୍ଥାନ ବଦଳୁ ବୋଲି ସୁପ୍ରିମକୋର୍ଟ କହିଥିଲେ।

ଏଥିଲାଗି କୋର୍ଟ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝେଇବା ଲାଗି ୨ ଜଣ ବରିଷ୍ଠ ଆଡଭୋକେଟଙ୍କୁ ବାର୍ତ୍ତାକାର ନିଯୁକ୍ତ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶରେ ସେମାନେ ପ୍ରତିଦିନ ଆନ୍ଦୋଳନ ସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ କୋର୍ଟଙ୍କ ଉଦ୍ଦେଶ୍ୟ ବୁଝେଇବାକୁ ଉଦ୍ୟମ କରୁଛନ୍ତି । ହେଲେ ସେମାନେ ସୁପ୍ରିମକୋର୍ଟ ବାର୍ତ୍ତାକାରଙ୍କ କଥାରେ ପଡୁନଥିବା ଦେଖାଯାଇଛି। ଶୁକ୍ରବାର ଭଳି ଶନିବାର ସକାଳେ ଆଡଭୋକେଟ୍ ସାଧନା ରାମଚନ୍ଦ୍ରନ ଆନ୍ଦୋଳନ ସ୍ଥଳକୁ ଯାଇଥିଲେ। ହେଲେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ବିନା କୌଣସି ନିଷ୍ପତ୍ତିରେ ଶେଷ ହୋଇଛି।

ଆନ୍ଦୋଳନକାରୀମାନେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। କୋର୍ଟ ଯଦି ସେମାନଙ୍କୁ ସେଠାରୁ ହଟିଯିବାକୁ କହୁଛନ୍ତି ତେବେ ସେମାନଙ୍କ ସୁରକ୍ଷା ଆଗ ସୁନିଶ୍ଚିତ କରନ୍ତୁ ବୋଲି ଦାବି କରିଛନ୍ତି। ଆମ ମାନଙ୍କ ସୁରକ୍ଷା ପୋଲିସ ଉପରେ ଛାଡି ଦିଆ ନଯାଉ ବୋଲି ଆନ୍ଦୋଳନକାରୀ କହିଛନ୍ତି। ତେବେ ଗତ ଗୁରୁବାର ଠାରୁ ଆନ୍ଦୋଳନକାରୀଙ୍କ ସହ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ସଫଳ ହୋଇନଥିବା ବେଳେ ରବିବାର ମାତ୍ର ଗୋଟିଏ ଦିନ ହାତରେ ରହିଛି। ଯଦି ଏଥିରେ ବି ସହମତି ନ ହୁଏ ୨୪ ଫେବୃଆରୀ ଶୁଣାଣିରେ କୋର୍ଟ କୌଣସି ନୂଆ ନିଷ୍ପତ୍ତି ନେଇପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।