ସମସ୍ୟା ଘେରରେ ଚୀନ୍‌ ରାଷ୍ଟ୍ରପତି, କାର୍ଯ୍ୟଶୈଳୀ ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ ୦୫/୦୧:ବିଶାଳ ବିକ୍ଷୋଭ, ଗଣ ଗିରଫଦାରି, ନିକୃଷ୍ଟ କୋଭିଡ ପରିଚାଳନା । ଏହି ୩ଟି ପ୍ରସଙ୍ଗକୁ ନେଇ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଏବେ ସମସ୍ୟା ବଳୟରେ । ଧୀରେ ଧୀରେ ଏହି ସମସ୍ୟାଗୁଡ଼ିକ ତାଙ୍କୁ ଦୁର୍ବଳ କରିପକାଉଛି । ତାଙ୍କୁ କ୍ଷମତାରୁ ହଟାଇବାରେ ଏହା ପ୍ରମୁଖ କାରଣ ସାଜିବ ବୋଲି ଚର୍ଚ୍ଚା ହେଉଛି ।

ବିଶ୍ୱର ଅଧିକାଂଶ ଦେଶରେ କରୋନା ସଂକ୍ରମଣ ଶିଥିଳ ପଡ଼ିଥିବା ବେଳେ ଚୀନ୍‌ରେ ଏହା ସାଙ୍ଘାତିକ ବେଗରେ ମାଡ଼ିଚାଲିଛି । ଚୀନ୍‌ର ୱୁହାନ୍‌ରୁ ହିଁ କରୋନା ସଂକ୍ରମଣ ଆରମ୍ଭ ହୋଇ ସାରା ବିଶ୍ୱକୁ ମାଡ଼ିଥିଲା । କୋଟି କୋଟି ଲୋକଙ୍କୁ ଆକ୍ରାନ୍ତ କରି ଲକ୍ଷ ଲକ୍ଷଙ୍କ ଜୀବନ ନେଇଥିଲା । ଚୀନ୍‌ରେ ଏବେ ସ୍ଥିତି ଗମ୍ଭୀର ପାଲଟିଛି । ଭାରତ ଭଳି ଜନବହୁଳ ଦେଶରେ ମହାମାରୀ ନିୟନ୍ତ୍ରଣକୁ ଆସିଥିବା ବେଳେ ଚୀନ୍‌ କୋଭିଡ ପରିଚାଳନାରେ ଫେଲ୍‌ ମାରିଛି । ଏହାକୁ ନେଇ ଜିନ୍‌ପିଙ୍ଗ୍‌ଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠିଲାଣି । ନିଜ ଲୋକଙ୍କ ଦ୍ୱାରା ଜିନ୍‌ପିଙ୍ଗ୍‌ ସମାଲୋଚିତ ହେଲେଣି ।

କରୋନା ଭୂତାଣୁକୁ କାବୁ କରିବା ପାଇଁ ଚୀନ୍‌ ସବୁଠୁ କଠୋର ଉପାୟ ଆପଣାଇଥିଲା । ‘ଜିରୋ କୋଭିଡ ନୀତି’ରେ ଜନତାଙ୍କୁ ଘରେ ପଣବନ୍ଦୀ କରି ରଖିଥିଲା । ଗତବର୍ଷ ଜୁନ୍‌ ପର୍ଯ୍ୟନ୍ତ ଚୀନ୍‌ରେ ପାଖାପାଖି ୧୪ ଲକ୍ଷ ଲୋକଙ୍କୁ ଗିରଫ କରାଯାଇଥିଲା । ଏହାଦ୍ୱାରା ସଂକ୍ରମଣ ମାଡ଼ି ନ ଥିଲା ସତ । କିନ୍ତୁ ଲୋକଙ୍କ ଜୀବିକା ବରବାଦ ହୋଇଥିଲା । ଘରୋଇ ଅର୍ଥନୀତି ମାଟି କାମୁଡ଼ିଥିଲା । ଭାରତ, ଆମେରିକା ଭଳି ଦେଶ ଯଦିଓ ମହାମାରୀ ଯୋଗୁ ପ୍ରାରମ୍ଭିକ ପର୍ଯ୍ୟାୟରେ କଠୋର ନୀତି ଆପଣାଇଥିଲେ, କିନ୍ତୁ ଧୀରେ ଧୀରେ କୋଭିଡ କଟକଣା ହଟାଇ ଲୋକଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେଇଥିଲେ । ଅର୍ଥନୀତିକୁ ଅଣ୍ଟା ସଳଖିବାକୁ ସୁଯୋଗ ଦେଇଥିଲେ । ଘରେ ଅଢ଼େଇ ବର୍ଷ କାଳ ବନ୍ଦୀ ରହିବା ପରେ ଲୋକମାନେ ଜିନ୍‌ପିଙ୍ଗ୍‌ଙ୍କ ନାଲି ଆଖିକୁ ଖାତିର ନ କରି ରାସ୍ତାକୁ ଓହ୍ଲାଇଥିଲେ । ଜିନ୍‌ପିଙ୍ଗ୍‌ ସରକାର ଏବଂ ଜିରୋ କୋଭିଡ ନୀତି ବିରୋଧରେ କରିଥିଲେ ବିଷୋଦ୍‌ଗାର । ସେମାନଙ୍କ ଉପରେ ପୁଲିସ ଜୁଲମ ହୋଇଥିଲା । ତଥାପି ଆନ୍ଦୋଳନ ଥମି ନ ଥିଲା । ୧୯୮୯ ପରଠାରୁ ପ୍ରଥମ ଥର ପାଇଁ ଚୀନ୍‌ରେ ସରକାରଙ୍କ ବିରୋଧରେ ଏତେବଡ଼ ଆନ୍ଦୋଳନ ହୋଇଥିଲା । ଶେଷରେ ବାଧ୍ୟହୋଇ ଜିନ୍‌ପିଙ୍ଗ୍‌ ସରକାର ନଇଁଥିଲେ । ଜିରୋ କୋଭିଡ ନୀତିକୁ ହଟାଇ ଦେଇଥିଲେ । ଏବେ କରୋନା ସାଙ୍ଘାତିକ ବେଗରେ ମାଡୁଥିବାରୁ ପୁଣି ଜିନ୍‌ପିଙ୍ଗ୍‌ଙ୍କ ପାରିଲାପଣିଆ ଉପରେ ସନ୍ଦେହ ପ୍ରକାଶ ପାଇଛି । ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ବି ସମସ୍ୟାରେ । ଜିନ୍‌ପିଙ୍ଗ୍‌ଙ୍କ କ୍ଷମତା ଶିଥିଳ ପଡୁଥିବା ନେଇ ଚର୍ଚ୍ଚା ହେଲାଣି ।

ଜିନ୍‌ପିଙ୍ଗ୍‌ଙ୍କୁ କ୍ଷମତାରୁ ହଟାଇବା ପାଇଁ ଚୀନ୍‌ରେ ଷଡ଼ଯନ୍ତ୍ର ଚାଲିଥିବା ନେଇ ନିକଟରେ ଚର୍ଚ୍ଚା ହୋଇଥିଲା । ଏବେ ପୁଣି ତାହା ଶୁଣିବାକୁ ମିଳିଲାଣି । କମ୍ୟୁନିଷ୍ଟ ପାର୍ଟିର କିଛି ନେତା ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ଉଠାଇଥିବା କୁହାଯାଉଛି । ବରିଷ୍ଠ ନେତାମାନେ ସିପିସି (କମ୍ୟୁନିଷ୍ଟ ପାର୍ଟି କଂଗ୍ରେସ) ପାଇଁ ଏକ ‘ନିରାପଦ ଓ ସ୍ଥିର ରାଜନୈତିକ ତଥା ସାମାଜିକ ବାତାବରଣ’ ସୃଷ୍ଟି କରିବାକୁ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.