ଏବେ ସୁନା କିଣିବା ହେବ ମହଙ୍ଗା, ବଢ଼ିଲା ଡିଜେଲ,ପେଟ୍ରୋଲ ରପ୍ତାନୀ ଶୁଳ୍କ
1/07/2022 at 3:04 PM

ନୂଆଦିଲ୍ଲୀ ୧।୭: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଓ ଏଥି ଯୋଗୁ ବିଦେଶୀ ମୁଦ୍ରା ଭଣ୍ଡାରର ହେଉଥିବା କ୍ଷତି ଭରଣା ଲାଗି ସରକାର ଶୁକ୍ରବାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦେଶରେ ସୁନା ଚାହିଦା ଉପରେ ଲଗାମ ଲଗାଇବା ପାଇଁ ଦେଶକୁ ସୁନା ଆମଦାନୀ ଉପରେ ସରକାର ଇମ୍ପୋର୍ଟ ଡ୍ୟୁଟି ବୃଦ୍ଧି କରିଛନ୍ତି। ଏହା ଛଡା ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ (ଏଟିଏଫ) ରପ୍ତାନୀ ଉପରେ ଏକ୍ସପର୍ଟ ଡ୍ୟୁଟି ମଧ୍ୟ ବୃଦ୍ଧି କରିଛନ୍ତି।
ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ଦେଶରେ ସୁନା ମହଙ୍ଗା ହେବାକୁ ଥିବା ବେଳେ ଡିଜେଲ, ପେଟ୍ରୋଲ ଓ ଏଟିଏଫ ଦର ନିୟନ୍ତ୍ରଣରେ ରହିବାରେ ସହାୟତା ମିଳିବ ବୋଲି ଅନୁମାନ କରାଯାଉଛି। ସରକାର ସୁନା ଆମଦାନୀ ଉପରେ ବେସିକ୍ ଇମ୍ପୋର୍ଟ ଡ୍ୟୁଟିକୁ ବଢାଇ ୧୨.୫ ପ୍ରତିଶତ କରିଦେଇଛନ୍ତି। ଏହା ପୂର୍ବରୁ ଏହି ଶୁଳ୍କ ହାର ଦେଶରେ ୭.୫ ପ୍ରତିଶତ ଥିଲା। ଉଲ୍ଲେଖ ଯୋଗ୍ୟ ଯେ ବିଶ୍ୱରେ ଭାରତ ଦ୍ୱିତୀୟ ଦେଶ ବୃହତ୍ତ ସ୍ୱର୍ଣ୍ଣ ଆମଦାନୀକାରୀ ଦେଶ। ଦେଶର ଘରୋଇ ଆବଶ୍ୟକତା ପୂରଣ ଲାଗି ବିଦେଶରୁ ସୁନା ଆମଦାନୀ କରିବାକୁ ପଡିଥାଏ। ଏଣୁ ଅଶୋଧିତ ତୈଳ ପରେ ଭାରତର ଇମ୍ପୋର୍ଟ ବିଲରେ ସୁନା ଦ୍ୱିତୀୟ ବସ୍ତୁ ହୋଇ ରହିଛି। ଏହି ନିଷ୍ପତ୍ତି ଯୋଗୁ ଯଦି ସୁନା ଚହିଦା ହ୍ରାସ ହେଲା ତେବେ ଟଙ୍କାର ମୂଲ୍ୟ ସୁଧାରିବାରେ ବେଶ ସହାୟତା ମିଳିବ।

ସରକାର ପେଟ୍ରୋଲ ଓ ଏଟିଏଫ ରପ୍ତାନୀ ଶୁଳ୍କ ଲିଟର ପିଛା ୬ ଟଙ୍କା ବୃଦ୍ଧି କରିଛନ୍ତି। ସେହିପରି ଡିଜେଲ ରପ୍ତାନୀଶୁଳ୍କ ଲିଟର ପିଛା ୧୩ଟଙ୍କା ବଢିଛି। ଏକ ପୃଥକ ନୋଟିଫିକେସନରେ ସରକାର ଘରୋଇ କ୍ରୁଡ ଅଏଲ ପ୍ରତି ଟନ ୨୩ ହଜାର ୨୩୦ ଟଙ୍କାର ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ସରକାର ଏହି ନିଷ୍ପତ୍ତି ଏପରି ଏକ ସମୟରେ ନେଇଛନ୍ତି ଯେତେବେଳେ ଦେଶର ଘରୋଇ ରିଫାଇନାରୀମାନେ ତୈଳ ରପ୍ତାନୀ କରି ବେଶ ଲାଭ କମଉଥିଲେ।
ତେବେ ସରକାରଙ୍କ ସଦ୍ୟ ନିଷ୍ପତ୍ତିରୁ ସେହି ସବୁ ରିଫାଇନାରୀକୁ ବାହାରେ ରଖିଛନ୍ତି ଯେଉଁମାନେ କେବଳ ଏକ୍ସପର୍ଟ ଉପରେ ଫୋକସ କରୁଛନ୍ତି। ସରକାରଙ୍କ ନିଷ୍ପତ୍ତି ରିଫାଇନାରୀ ବ୍ୟବସାୟ ସହିତ ସମ୍ପୃକ୍ତ କମ୍ପାନୀମାନଙ୍କ ସେୟାର ଉପରେ ଅନୁଭୂତ ହୋଇଛି। ଏହି ଘୋଷଣାର କିଛି ମିନିଟ୍ରେ ଦେଶର ସର୍ବ ବୃହତ୍ତ ଲିଷ୍ଟେଡ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ୦୪ ପ୍ରତିଶତ ହ୍ରାସ ଦେଖାଯାଇଛି । ଓଏନଜିସି ସେୟାର ମୂଲ୍ୟ ମଧ୍ୟ ହ୍ରାସ ହୋଇଛି। ଗତ କିଛି ସମୟ ହେଲା ଖାସ କରି ଦେଶର ଘରୋଇ ରିଫାଇନାରୀମାନେ ଆମେରିକା ଓ ଇୟୁରୋପୀୟ ବଜାରକୁ ଡିଜେଲ, ପେଟ୍ରୋଲ ଓ ଏଟିଏଫ ରପ୍ତାନୀ କରି ବେଶ ମୁନାଫା କମାଉଥିଲେ।