ଗଲଓ୍ଵାନର କ୍ଷତକୁ ଭୁଲି ପାରିନି ଚୀନ ! LACରେ ଭାରତ ସହ ଲଢିବା ପାଇଁ କିଣୁଛି କୋଲ୍ଡ ଓ୍ଵିପନ
7/03/2023 at 7:11 PM

ନୂଆଦିଲ୍ଲୀ: ଗଲଓ୍ଵାନ ଏବଂ ତଓ୍ଵାଙ୍ଗରେ ଭାରତୀୟ ସେନାର ପ୍ରହାରକୁ ଏ ପର୍ଯ୍ୟନ୍ତ ଭୁଲି ପାରି ନାହିଁ ଡ୍ରାଗନ। ଘଟିଥିବା କ୍ଷତିକୁ ଚୀନର ପିଏଲଏ ହଜମ କରି ପାରି ନାହିଁ। ଫଳରେ ଏଲଏସିରେ ଭାରତୀୟ ସେନାର ମୁକାବିଲା କରିବା ଲାଗି ଚୀନ ଶୀତଳ ଯୁଦ୍ଧାସ୍ତ୍ର କିଣିବାରେ ଲାଗିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଚୀନ ପିଏଲଏ ୨୬ ହଜାର ଶୀତଳ ଯୁଦ୍ଧାସ୍ତ୍ର କ୍ରୟ ପାଇଁ ଅର୍ଡର ଦେଇଛି। ଶୀତଳ ଯୁଦ୍ଧାସ୍ତ୍ରରେ ଭାଲା, କଣ୍ଟାଯୁକ୍ତ ଲାଠି ଏବଂ ଏହି ଧରଣର ଅନ୍ୟାନ୍ୟ ସାମିଲ୍ ଅଛି। ଏହାର ବ୍ୟବହାର ଚୀନର ସେନା ମୁହାଁମୁହିଁ ସମୟରେ କରିପାରେ।
ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଶେଷ ସୁଦ୍ଧା ପର୍ଯ୍ୟାୟକ୍ରମେ ଏହି କୋଲ୍ଡ ଓ୍ଵିପନ ଚୀନର ପିଏଲଏକକୁ ମିଳିଯିବ। ଯେବେ ବି ଭାରତ ଏବଂ ଚୀନର ସେନା ଏଲଏସିରେ ପାଟ୍ରୋଲିଂ ସମୟରେ ମୁହାଁମୁହିଁ ହୁଅନ୍ତି ଧସ୍ତାଧସ୍ତି ଏବଂ ପଥରମାଡ ହୋଇଥାଏ। ମାତ୍ର ଗଲଓ୍ଵାନ ଘାଟିରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ ଚୀନର ପିଏଲଏ ଫାୟର ଆର୍ମ ସହ କୋଲ୍ଡ ଓ୍ଵିପନ ସହିତ ଆସିଥିଲା ଏବଂ ଏହାର ବ୍ୟବହାର ମଧ୍ୟ କରିଥିଲା।
ବୋଧହୁଏ ଗଲଓ୍ଵାନ ଘଟଣାରେ ହିଁ ପ୍ରଥମ ଥର କୋଲ୍ଡ ଓ୍ଵିପନର ଅଧିକ ବ୍ୟବହାର କରାଯାଇଥିଲା। ଏହା ପରଠୁ ଚୀନ ନିଜର ରଣନୀତିକୁ ବଦଳାଇ କୋଲ୍ଡ ଓ୍ଵିପନକୁ ବହୁତ ସୀମିତ ସେନାକୁ ଦେଇଥିଲା। ମାତ୍ର ଏବେ ବଡ ସଂଖ୍ୟାରେ ସୈନିକଙ୍କୁ ଏହି କୋଲ୍ଡ ଓ୍ଵିପନ ଦେବାକୁ ଯୋଜନା କରିଛି ଡ୍ରାଗନ। ଯଦ୍ଵାରା ଭାରତୀୟ ଯବାନଙ୍କ ମୁକାବିଲା କରାଯାଇ ପାରିବ।
ଗଲଓ୍ଵାନର ସେହି ରାତ୍ରିରେ ଯେଉଁଭଳି ଡ୍ରାଗନ ସେନାଙ୍କୁ ମାଡ ପଡିଛି ସେଥିରେ ବିଚଳିତ ହୋଇ ଚୀନ ନିଜର ସୈନିକଙ୍କୁ ନୂତନ ଆର୍ମର ଓ୍ଵେଷ୍ଟ ଅର୍ଥାତ ଶରୀର କବଚ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଗୁଇନ୍ଦା ସୂତ୍ର ଅନୁଯାୟୀ, ଚୀନ ଏଲଏସିରେ ମୁତୟନ ସୈନିକଙ୍କ ପାଇଁ ଛଅ ପିଢିର ବଡି ଆର୍ମର ତିଆରିରେ ଜୁଟି ଯାଇଛି। ଏହା କୌଣସି ମୁହାଁମୁହିଁ ସ୍ଥିତିରେ ଯବାନଙ୍କ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ସୁରକ୍ଷା ଦେବ।