ଭିଜିଲାନ୍ସ ଗାଡ଼ିକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ, ରାସ୍ତା ଉପରେ ୩ ପଲ୍‌ଟି ମାରି ପଡ଼ିଲା ବୁଦାରେ, ୨ ଭିଜିଲାନ୍ସ କର୍ମଚାରୀ...

Published By : Prameya-News7 Bureau | September 17, 2021 IST

ଖଲ୍ଲିକୋଟ, ୧୭/୦୯: ଭିଜିଲାନ୍ସ ଗାଡ଼ିକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ ।ଫଳରେ ଭିଜିଲାନ୍ସ ଗାଡ଼ି ଚଳାଉଥିବା ହାବିଲଦାର ସୁଶୀଲ କୁମାର ଖଟୁଆ ଓ ସେଥିରେ ବସିଥିବା ଭିଜିଲାନ୍ସର କଟକ ଅତିରିକ୍ତ ଏସ୍‌ପି ବେଣୁଧର ନାୟକ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ କଟକ ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ବେଣୁଧର ନାୟକ ବିଭାଗୀୟ ଟାଟାସୁମୋ ଗାଡ଼ି ନମ୍ବର OD 05 T 2387 ଯୋଗେ ଅଫିସ କାର୍ଯ୍ୟ ସମ୍ପାଦନ କରି ବ୍ରହ୍ମପୁରରୁ କଟକ ଫେରୁଥିଲେ । ଏହି ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଡିମିରିଆ ନିକଟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଦିଲଦାର ନାମକ ଯାତ୍ରୀବାହୀ ବସ ନମ୍ବର OD 02 BJ 7857 ଟାଟା ସୁମୋକୁ ପଛପଟୁ ଧକ୍କା ଦେଇଥିଲା । ବସଟି ଏତେ ଜୋରରେ ଧକ୍କା ମାରିଥିଲା ଯେ, ଟାଟା ସୁମୋ ତିନି ଥର ପଲଟି ମାରି ରାସ୍ତା କଡରେ ଥିବା ଏକ ଲଟା ବୁଦା ଭିତରେ ପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଅତିରିକ୍ତ ଏସ୍‌ପି ଶ୍ରୀ ନାୟକ ଓ ହାବିଲଦାର ଶ୍ରୀ ଖଟୁଆଙ୍କୁ ଗାଡ଼ି ଭିତରୁ ଗୁରୁତର ଆହତ ଅବସ୍ଥାରେ ବାହାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।

ଖବରପାଇ ଖଲ୍ଲିକୋଟ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି ।  ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଯାତ୍ରୀବାହୀ ବସ ସମେତ ଡ୍ରାଇଭର ଆଶୁତୋଷ ବିନ୍ଧାଣିଙ୍କୁ ଭେଜିପୁଟ ଫାଣ୍ଡିରେ ଅଟକ ରଖାଯାଇଛି । ସେପଟେ ଗୁରୁତର ଆହତ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରରୁ ଭିଜିଲାନ୍ସ ବିଭାଗର ଆଉ ଗୋଟିଏ ଗାଡ଼ିରେ କଟକ ପଠାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.