ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ନାଳକୁ ଖସି ପଡିଲା ବସ୍, ୯ ମୃତ

Published By : Prameya-News7 Bureau | December 15, 2021 IST

ପଶ୍ଚିମ ଗୋଦାବରୀ ୧୫/୧୨ : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ବୁଧବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅନ୍ୟ ଏକ ଗାଡିକୁ ଅତିକ୍ରମ କରିବା ବେଳେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଏକ ନାଳକୁ ଖସି ପଡ଼ିବାରୁ ୯ଜଣଙ୍କର ମୃତ୍ୟୁ ହୋଇଛି। ଏହି ବସଟି କୋଠଗୋଡ଼େମ ଭଦ୍ରାଦ୍ରି ଅଶ୍ୱରାଓପେଟାରୁ ଜଙ୍ଗାରେଡ୍ଡିଗୁଡ଼ମ ଅଭିମୁଖେ ଯାଉଥିଲା।

ଖବର ଆନୁଯାୟୀ ଏହି ବସଟି ତାର ବିପରୀତ ଦିଗରୁ ଆସୁଥିବା ଏକ ଲରି ଗାଡ଼ିକୁ ଅତିକ୍ରମ କରି ଯିବାକୁ ଚେଷ୍ଠା କରୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ପାଖରେ ଏକ ନାଳକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମୋଟ ୪୭ ଜଣ ଯାତ୍ରୀ ଏହି ବସରେ ଯାତ୍ରା କରୁଥିଲେ। ଦୁର୍ଘଟଣା ଦ୍ୱାରା ସମସ୍ତ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଏହି ବସଟି ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଆଉ ୧୦ମିନିଟ ବାକି ଥିବା ବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି।

ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଞ୍ଚଜଣ ମହିଳା , ବସର ଡ୍ରାଇଭରଙ୍କ ସମେତ ମୋଟ ୯ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଛୋଟ ପିଲାମାନଙ୍କ ସହିତ ଅନ୍ୟ ୩୮ ଜଣ ଯାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ବୋଲି ଜଙ୍ଗରେଡ୍ଡିଗୁଡ଼ମ ରାଜସ୍ୱ ବିଭାଗ ଅଧିକାରୀ ୱାଇଭି ପ୍ରଶନ୍ନ ଲକ୍ଷ୍ମୀ ରେଡ୍ଡି କହିଛନ୍ତି।

ଏହି ଘଟଣାରେ ଦୁଃଖ ପ୍ରକାଶ କରି ରାଜ୍ୟ ପରିବହନ ମନ୍ତ୍ରୀ ପେର୍ଣ୍ଣି ଭେଙ୍କଟରାମାୟା ଜିଲ୍ଲା ପ୍ରଶାସନକୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡ଼ୁ ଏହି ଖବର ଶୁଣି ଦୁଃଖ ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.