ଦେବଦୂତ ସାଜିଲେ ବସ୍ ଡ୍ରାଇଭର୍, ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ସୁଶିଲ୍ କୁମାର
30/12/2022 at 4:37 PM

ନୂଆଦିଲ୍ଲୀ: ପନ୍ତଙ୍କ ସହିତ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ଭଗବାନ ସାଜିଲେ ବସ୍ ଡ୍ରାଇଭର । ଭାରତୀୟ କ୍ରିକେଟ୍ ଦଳର ଓ୍ବିକେଟ୍ କିପରଙ୍କୁ ହରିୟାଣା ରୋଡଓ୍ବେଜର ବସ୍ ଡ୍ରାଇଭର ସୁଶିଲ କୁମାର ଉଦ୍ଧାର କରିବା ସହିତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ନାରସନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଋଷବ ପନ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ସୂଚନା ଅନୁଯାୟୀ, ଶୁକ୍ରବାର ଭୋରୁ ଋଷବ ପନ୍ତଙ୍କ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ପରିବାର ଲୋକଙ୍କ ସହିତ ନୂଆବର୍ଷ ପାର୍ଟି ମନାଇବାକୁ ଦିଲ୍ଲୀରୁ ରୁର୍କୀ ଯାଉଥିବାବେଳେ ସକାଳ ୫.୨୧ ମିନିଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁକୂଳ ନାରସନ ନିକଟରେ ଆଖି ଲାଗିଯିବାରୁ ଡିଭାଇଡରକୁ ଧକ୍କା ଦେଇଥିଲା ମର୍ସିଡିଜ୍ କାର୍ । ଦୁର୍ଘଟଣାରେ କାର୍ ବାହାରକୁ ଛିଟକି ପଡ଼ିଥିଲେ ପନ୍ତ । ଏହାର କିଛି ସମୟ ପରେ ହରିୟାଣା ରୋଡଓ୍ବେଜ୍ ବସ୍ ଡ୍ରାଇଭର ସୁଶିଲ୍ କୁମାର ଭଗବାନ ସଦୃଶ ପ୍ରଥମେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିଲେ । ୧୧୨ ନମ୍ବରକୁ ଫୋନ୍ କରି ନାରସନ ଥାନାକୁ ଖବର ଦେଇଥିଲେ । ପୋଲିସ ପନ୍ତଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ ସକ୍ଷମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ଡେରାଡୁନ୍ ମାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଋଷବ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ।
ଦୁର୍ଘଟଣାରେ ପନ୍ତଙ୍କ ମୁଣ୍ଡ, ଗୋଡ଼ ଓ ପିଠିରେ ଗଭୀର ଆଘାତ ଲାଗିଛି । ମାକ୍ସ ହସ୍ପିଟାଲ ନେବା ସମୟରେ ତାଙ୍କର ଚେତା ଥିବା ବୋଲି ହରିୟାଣା ରୋଡଓ୍ବେଜ୍ ବସ୍ ଡ୍ରାଇଭର ସୁଶିଲ୍ କୁମାର କହିଛନ୍ତି ।