ରାଜ୍ୟରେ କାଲିଠୁ ଗଡିବ ବସ୍, ସିଟ୍ ମୁତାବକ ହେବ ଯାତ୍ରୀ ପରିବହନ

Published By : Prameya-News7 Bureau | May 24, 2020 IST

ଭୁବନେଶ୍ବର ୨୪: ରାଜ୍ୟରେ ଆସନ୍ତାକାଲିଠାରୁ ଗଡିବ ଯାତ୍ରୀବାହୀ ବସ୍ । ବସରେ ଯେତିକ ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯାଇପାରିବେ । ଏନେଇ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ବସ୍ ରେ ଯାତ୍ରା ସମୟରେ କେହି ଠିଆ ହୋଇ ଯାଇପାରିବେ ନାହିଁ । ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କରୋନା ଲକ୍ଷଣ ଥିଲେ ଯାତ୍ରୀ ବସରେ ଯାଇପାରିବେ ନାହିଁ । ମାସ୍କ ନପିନ୍ଧିଲେ ଆଇନ ଅନୁଯାୟୀ ଯାତ୍ରୀ ଦଣ୍ଡିତ ହେବେ । ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର ରଖିବାକୁ କୁହାଯାଇଛି ।

ସେହିପରି ରାଜ୍ୟରେ ଅଟୋ ଏବଂ ଟାକ୍ସି ଚଳାଚଳ କରିବାକୁ ଅନୁମତି ଦିଆଯାଇଛି । ଚାଳକଙ୍କ ସହ ଟ୍ୟାକ୍ସି ଏବଂ ଅଟୋରେ ୨ଜଣ ଯାତ୍ରୀ ଯାଇପାରିବେ । ଘରୋଇ ଯାନବାହାନ ଚଳାଚଳକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ୩ ଚକିଆ, ୪ ଚକିଆ ଗାଡି ଚଳାଚଳ କରିପାରିବ । ୩ ଚକିଆ, ୪ ଚକିଆ ଗାଡିରେ ଚାଳକଙ୍କ ସହ ୨ ଜଣ ଯାତ୍ରୀ ଯାଇପାରିବେ ବୋଲି ଏସଆରସି ସୂଚନା ଦେଇଛନ୍ତି । ୨ରୁ ଅଧିକ ଯାତ୍ରୀ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସନ୍ଧ୍ୟା ୭ଟା ପରେ ମଧ୍ୟ ଯାତ୍ରା କରିହେବ । ରେଳଷ୍ଟେସନ, ବିମାନବନ୍ଦରକୁ ଯିବାକୁ ୨୪ଘଣ୍ଟା ଗାଡି ଚାଲିବ । 

ଆସନ୍ତାକାଲିଠାରୁ ସିଟି ବସ୍ ଚଳାଚଳ କରିବ । ବସ୍ ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାଇପାରିବେ । ସେହିଭଳି ଅନ୍ୟ ରାଜ୍ୟ ସହ ସହମତି ପରେ ଆନ୍ତରାଜ୍ୟ ବସ୍ ଚଳାଚଳ କରିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଅନ୍ୟ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟ ସହ ବସ୍ ଚଳାଚଳ ନେଇ ଆଲୋଚନା କରାଯିବ । କୋଭିଡ୍-୧୯ର ଗାଇଡ଼ ଲାଇନ ଅନୁଯାୟୀ ଯାତ୍ରୀଙ୍କ ସ୍କ୍ରିନିଂ ଓ ବସ୍ ସାନିଟାଇଜ କରାଯାଇ ବସ୍ ଚଳାଚଳ କରାଯିବ ।

ରାଜ୍ୟ ଭିତରେ ରେଳ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ସେହିପରି କାଲିଠାରୁ ରାଜ୍ୟରୁ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଭୁବନେଶ୍ବର ଏବଂ ଝାରସୁଗୁଡାରୁ ଉଡାଣ ଆରମ୍ଭ ହେବ । ଏଥିସହିତ ଖୁବଶୀଘ୍ର ରାଜ୍ୟରୁ ବିଦେଶକୁ ମଧ୍ୟ ବିମାନ ଚାଲିବ । ରାଜ୍ୟକୁ ଫେରିବା ଲାଗି ପଞ୍ଜୀକରଣ କରିବା ଜରୁରୀ ବୋଲି ଏସଆରସି କହିଛନ୍ତି ।

ଅନ୍ୟପଟେ ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବ ବୋଲି ସରକାରଙ୍କ ନିଷ୍ପତ୍ତି ପରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ଏଥର ବସ୍ ଚାଲିବାରେ କିଛି ଅସୁବିଧା ହେବନି । ସିଟ୍ ଅନୁଯାୟୀ ଯାତ୍ରୀ ପରିବହନ ନେଇ ଅନୁମତି ଦିଆଯାଇଥିବାରୁ ଆଉ ବସ୍ ମାଲିକମାନଙ୍କ କିଛି କ୍ଷତି ହେବନି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏପରିକି ବସ୍ ମାଲିକମାନଙ୍କ ଟ୍ୟାକ୍ସ ଛାଡ଼ ସମ୍ପର୍କରେ ମଧ୍ୟ ସରକାର ଆଲୋଚନା କରୁଥିବା ମନ୍ତ୍ରୀ କହିଛନ୍ତି । ଅନ୍ୟ ରାଜ୍ୟ ସହ ବସ୍ ଚଳାଚଳ ନେଇ ଆଲୋଚନା କରାଯିବ । ଏ ସମ୍ପର୍କରେ ବସ୍ ମାଲିକ ସଂଘ ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.