ବୁମରାଙ୍କୁ ନେଇ ନିରାଶଜନକ ଖବର, ପୂରା ବର୍ଡର-ଗାଭାସ୍କର ସିରିଜ୍ରୁ ବାଦ୍ ପଡି ପାରନ୍ତି
26/01/2023 at 4:04 PM

ନୂଆଦିଲ୍ଲୀ: ୨୦୨୨ ସେପ୍ଟେମ୍ବର ପରଠୁ ଯଶପ୍ରୀତ ବୁମରା ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ପ୍ରାୟ ଦେଢ ବର୍ଷ ହେବ ବୁମରା ଲଗାତାର ଆଘାତଜନିତ ସମସ୍ୟା ଦେଇ ଗତି କରୁଛନ୍ତି।ଆହତ କାରଣରୁ ବୁମରା ଏସିଆ କପ୍ ୨୦୨୨, ଆଇସିସି ଟି-୨୦ ବିଶ୍ଵ କପ୍ ପରି ବଡ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ପାରିନଥିଲେ। ଆଶା କରାଯାଉଥିଲା ବୁମରା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ମାତ୍ର ଏମିତି ହୋଇ ନାହିଁ। ବର୍ଡର-ଗାଭାସ୍କର ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ବୁମରାଙ୍କୁ ଦଳରେ ଚୟନ କରାଯାଇ ନାହିଁ। ଆଉ ଏକ ନିରାଶଜନକ ଖବର ବୁମରା ବାକି ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳି ନପାରନ୍ତି।

କୁହାଯାଉଛି ବୁମରା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୩ ପୂର୍ବରୁ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରି ପାରିବେ ନାହିଁ। ସେଥିପାଇଁ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଶତ ପ୍ରତିଶତ ଫିଟ୍ ହେବାର ସମ୍ଭାବନା ନାହିଁ। ବିସିସିଆଇ ସ୍ପଷ୍ଟ କରିଛି ଯେ, ଆହତରୁ ମୁକୁଳିବା ପରେ ବୁମରାଙ୍କୁ ତରବରିଆ ଭାବେ ଦଳରେ ସାମିଲ୍ କରାଯିବ ନାହିଁ। ପିଠିଜନିତ ସମସ୍ୟାରୁ ମୁକୁଳିବା ପାଇଁ ସମୟ ଲାଗିଥାଏ।
ବିସିସିଆଇ ଅଧିକାରୀ କହିଛନ୍ତି, ଏବେ ଯେଉଁ ସ୍ଥିତିରେ ଅଛନ୍ତି ବୁମରା ଚୟନ ପାଇଁ ଫିଟ୍ ନାହାନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନକୁ କେତେ ସମୟ ଲାଗିବ ଏହା କହିବା ବହୁତ ମୁସ୍କିଲ। ତେଣୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ଦଳରେ ଚୟନ କରାଯାଇ ନାହିଁ। ଏହା ପୂର୍ବରୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଚୟନ କରାଯାଇଥିଲା। ମାତ୍ର ଅଣ୍ଟାରେ ବ୍ୟଥା ଥିବାରୁ ସେ ଉକ୍ତ ଶୃଙ୍ଖଳାରୁ ଓହରି ଯାଇଥିଲେ।
ଏ ଖବର ପଢନ୍ତୁ- ଶାମି-ସିରାଜ ଏବଂ ବୁମରା… ଭାରତକୁ ବିଶ୍ଵ କପ୍ ଜିତାଇବେ ଏହି ତ୍ରିମୂର୍ତ୍ତି !
ରୋହିତ ଶର୍ମା ମଧ୍ୟ କହିଥିଲେ ଯେ, ବୁମରାଙ୍କ ଫିଟନେସ୍କୁ ନେଇ ମୁଁ ମଧ୍ୟ ନିଶ୍ଚିତ ନୁହେଁ। ମୁଁ ଆଶା କରୁଛି ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଟେଷ୍ଟରେ ବୁମରା ଖେଳିବେ। ଆମେ ବୁମରାଙ୍କ ଆହତ ସମସ୍ୟାକୁ ନେଇ ରିସ୍କ ଉଠାଇ ପାରିବୁ ନାହିଁ। ଅଣ୍ଟାଜନିତ ଆଘାତ ସର୍ବଦା ଜଟିଳ ହୋଇଥାଏ। ତାଙ୍କୁ ସୁସ୍ଥ ହେବା ପାଇଁ ଯେତିକି ସମୟ ଦରକାର ଡାକ୍ତରୀ ଦଳ ତାଙ୍କୁ ସେତିକି ସମୟ ଦେବେ ବୋଲି ରୋହିତ କହିଥିଲେ।