ସହାରନପୁର: ଉତ୍ତର ପ୍ରଦେଶରେ ଶୁକ୍ରବାର ହିଂସା ପରେ ଚାଲିଲା ବୁଲଡୋଜର । କାନପୁର ଏବଂ ସହାରନପୁରରେ ହିଂସାର ଅଭିଯୁକ୍ତ ଏବଂ ସେମାନଙ୍କ ସହ ସାମିଲ୍ କିଛି ଲୋକଙ୍କ ଘର ଉପରେ ଶନିବାର ବୁଲଡୋଜର ଚାଲିଛି । ଅଭିଯୁକ୍ତଙ୍କ ବେଆଇନ ନିର୍ମାଣ ଉଚ୍ଛେଦ କରାଯାଉଥିବା କହିଛନ୍ତି ଉତ୍ତର ପ୍ରଦେଶ ପୋଲିସ ।
କାନପୁରରେ କାର୍ଯ୍ୟାନୁଷ୍ଠାନ ଉପରେ ପୋଲିସ ଅଫିସରଙ୍କ କହିବା କଥା ଯେଉଁ କୋଠାକୁ ଭଙ୍ଗା ଯାଇଛି ସେଗୁଡିକ ହିଂସାର ମୁଖ୍ୟ ଅଭିଯୁକ୍ତଙ୍କ ସହ ସାମିଲ ଭୂମି ମାଫିଆଙ୍କ ରହିଛି । ଏ ପର୍ଯ୍ୟନ୍ତ ହିଂସାକୁ ନେଇ ୧୩ ଏଫଆଇଆର ରୁଜୁ କରାଯାଇଛି । ୨୩୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପ୍ରଫେଟ ମହମ୍ମଦଙ୍କ ପ୍ରତି ବିଜେପି ମୁଖପାତ୍ରଙ୍କ ଆଶାଳୀନ ଟିପ୍ପଣୀ ପରେ ଉତ୍ତର ପ୍ରଦେଶର ପ୍ରୟାଗରାଜ, ମୁରାଦାବାଦ, ସହାରନପୁର, କାନପୁର ସମେତ ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି ।
ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଶୁକ୍ରବାର ନମାଜ ପରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ହିଂସାକାଣ୍ଡ କରିଥିଲେ । ହିଂସା ଘଟାଇଥିବା ଲୋକଙ୍କୁ ପରୋକ୍ଷ ଚେତାବନୀ ଦେଇ ଉପ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାର କହିଛନ୍ତି, ଉପଦ୍ରବୀ ମାନେ ରଖନ୍ତୁ ଯେ, ଶୁକ୍ରବାର ପରେ ଶନିବାର ନିଶ୍ଚୟ ଆସିଥାଏ । ତେଣୁ ସେମାନଙ୍କୁ ଏହା ଭୁଲିବା ଉଚିତ୍ ନୁହେଁ ।
ସହାରନପୁର ବ୍ୟତୀତ କାନପୁରରେ ହିଂସାର ଗୋଟିଏ ସପ୍ତାହ ପରେ ବେଆଇନ ନିର୍ମାଣକୁ ପ୍ରଶାସନ ଦ୍ୱାରା ଉଚ୍ଛେଦ କରାଯାଉଛି । ଘଟଣାସ୍ଥଳରୁ ପ୍ରାୟ ତିନି କିଲୋମିଟର ଦୂର କୋଠାକୁ ଭଙ୍ଗା ଯାଉଛି । କାନପୁର ହିଂସାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଘର ଭଙ୍ଗା ଯାଉଥିବା ମାଲିକଙ୍କ ସଂପର୍କ ରହିଛି । ସେ ମଧ୍ୟ ଷଡଯନ୍ତ୍ରର ଅଂଶ ତିବା ପୋଲିସ କହିଛି ।