ନୋଏଡା ମହିଳାଙ୍କୁ ଦୁର୍ବ୍ୟବହାର ଘଟଣା: ବୁଲ୍‌ଡୋଜର ଆକ୍ସନ ନେଲେ ସରକାର, ଆତ୍ମସମର୍ପଣ ପାଇଁ କୋର୍ଟର ଦ୍ୱାରସ୍ଥ ହେଲେ ଆତ୍ମଘୋଷିତ ବିଜେପି ନେତା

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ: ଜବରଦଖଲରେ ଯକ୍ତି ତର୍କରୁ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଆତ୍ମଘୋଷିତ ବିଜେପି କର୍ମୀ ଶ୍ରୀକାନ୍ତ ତ୍ୟାଗୀ ବିରୋଧରେ ବୁଲ୍‌ଡୋଜର ଆକ୍ସନ ହୋଇଛି। ନୋଏଡ଼ା ମହିଳାଙ୍କୁ ଦୁର୍ବ୍ୟବହାର ଓ ଘରମାଲିକମାନେ ଅଭିଯୋଗ କରିବା ପରେ ଶ୍ରୀକାନ୍ତ ବିରୋଧରେ ମାମଲା ହୋଇଥିଲା। ଏହାପର ଠାରୁ ଶ୍ରୀକାନ୍ତ ଫେରାର ହୋଇଯାଇଥିଲେ। ହେଲେ ସୋମବାର ନୋଏଡ଼ା ପ୍ରଶାସନ ଶ୍ରୀକାନ୍ତ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ଲଗାଇ ନୋଏଡ଼ା ସେକ୍ଟର ୯୩ବିରେ ଥିବା ତାଙ୍କର ସମସ୍ତ ଜବର ଦଖଲ ଉଚ୍ଛେଦ କରିଛି।

କେବଳ ସେତିକି ନୁହେଁ ଫେରାର୍ ଶ୍ରୀକାନ୍ତି ବିରୋଧରେ ଫାଇନ୍‌ ଲାଗିବା ସହ ତାଙ୍କୁ ଧରାଇ ଦେଲେ ୨୫ ହଜାର ପୁରସ୍କାର ରାଶି ଦିଆଯିବ ବୋଲି ପ୍ରଶାସନ ଘୋଷଣା କରିଛି। ଖବର ଅନୁସାରେ ଗତ ପରଦିନ ଶ୍ରୀକାନ୍ତଙ୍କ ସମର୍ଥକମାନେ ଉକ୍ତ ମହିଳାଙ୍କର ଠିକଣା ବୁଝିଥିଲେ। ଆଜି ପ୍ରଶାସନ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି।

ଏପଟେ ଘଟଣାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ହେବା ପରେ କୋର୍ଟର ଶରଣ ପଶିଛନ୍ତି ଶ୍ରୀକାନ୍ତି। ଏଥିପାଇଁ ସେ ଆଗୁଆ ସରେଣ୍ଡର କରିବେ ବୋଲି ଗ୍ରେଟର ନୋଓଡ଼ାର ସୁରଜପୁର କୋର୍ଟରେ ଆବେଦନ ଦାଖଲ କରିଛନ୍ତି। ସୂଚନା ଥାଉକି ନୋଏଡ଼ାର ଶ୍ରୀକାନ୍ତ ତ୍ୟାଗୀ ନାମକ ଜଣେ ବ୍ୟକ୍ତି ନିଜକୁ ବିଜେପି କର୍ମୀ କହି ଉପରୋକ୍ତ ସ୍ଥାନ ଜବରଦଖଲ କରିଥିଲା। ତେବେ ଅଗଷ୍ଟ ୫ ତାରିଖ ଦିନ ଗଛ ଲଗାକୁ କେନ୍ଦ୍ର କରି କଲୋନୀର ଜଣେ ମହିଳା ଓ ଶ୍ରୀକାନ୍ତଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା।

ଶ୍ରୀକାନ୍ତ ତ୍ୟାଗୀ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ଖରାପ ଭାଷା କହି ଗାଳିଲୁଗଜ କରିଥିଲେ। ଏଥିପାଇଁ ଶ୍ରୀକାନ୍ତଙ୍କ ବିରୋଧରେ ମାମଲା ହୋଇଛି। ଆଉ ପୁଲିସ ତାକୁ ଖୋଜିବା ଆରମ୍ଭ କରିଦେଇଥିବା ବେଳେ ନିଜେ ଶ୍ରୀକାନ୍ତ ଆତ୍ମସମର୍ପଣ ପାଇଁ କୋର୍ଟର  ଦ୍ୱାରସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.