ବଜେଟ୍ ୨୦୨୩: ଇଭି ଗ୍ରାହକଙ୍କୁ ମିଳିପାରେ ବଡ଼ ଖୁସି ଖବର, ହୋଇପାରେ ବଡ଼ ଫାଇଦା
31/01/2023 at 8:42 PM

ନୂଆଦିଲ୍ଲୀ, ୩୧/୦୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବୃଆରୀରେ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ରେ ଅଟୋମୋବାଇଲ ସେକ୍ଟର ଉପରେ ନଜର ରହିଛି। ବିଶେଷ କରି ଇଲେକ୍ଟ୍ରିକ୍ ଯାନକୁ ନେଇ କୌଣସି ବଡ଼ ଘୋଷଣା ଉପରେ ନଜର ରହିଛି। ଏହାର ସିଧା ଲାଭ ସେହିମାନଙ୍କୁ ହେବ ଯେଉଁମାନେ ଆଗାମୀ ସମୟରେ ଇଲେକ୍ଟ୍ରିକ୍ ଯାନ କିଣିବାକୁ ଯୋଜନା କରୁଛନ୍ତି। ପ୍ରକୃତରେ ଇଲେକ୍ଟ୍ରିକ୍ ଯାନ ଉପରେ ମିଳୁଥିବା ଏଫଏଏମଇ ୨ ସବସିଡିକୁ ବଢ଼ାଇବାକୁ ଅଟୋମୋବାଇଲ ସେକ୍ଟର ଲଗାତାର ଦାବି କରିଆସୁଛି। ଏହାର ସିଧା ଲାଭ ଗ୍ରାହକଙ୍କୁ ଦେବା ପାଇଁ ଦାବି ହେଉଛି। ଏମିତିରେ ଏବେ କୁହାଯାଉଛି ଯେ ସରକାର ଫେମ-୨ ସବସିଡିକୁ ବଢ଼ାଯାଇପାରେ।
ଏହି ସବସିଡିକୁ ଦୁଇ ବର୍ଷ ଅଧିକ ବଢ଼ାଯାଇପାରେ। ଫେମ ସବସିଡି ସରକାର ୨୦୧୯ ରେ ଲାଗୁ କରିଥିଲେ। ଏହାର ଅବଧି ୩୧ ମାର୍ଚ୍ଚ ୨୦୨୩ ରେ ସରିବାକୁ ଯାଉଛି। ତେଣୁ ଏହି ସବସିଡିକୁ ସରକାର ୨୦୨୫ ଯାଏଁ ବୃଦ୍ଧି କରିପାରନ୍ତି। ଏଥିପାଇଁ ଅଟୋମୋବାଇଲ ନିର୍ମାତାଙ୍କ ସହ ସାଧାରଣ ଲୋକଙ୍କ ମଧ୍ୟ ଦାବି କରାଯାଉଛି ଯେ ଏହି ସବସିଡିକୁ ବଢ଼ାଯାଉ।
ଜିଏସଟି କମ୍ କରିବା ନେଇ ମଧ୍ୟ ହୋଇଛି ଦାବି:
ସେହିଭଳି ଇଭି ନିର୍ମାଣରେ ଲାଗୁଥିବା ପାର୍ଟ୍ସ ଉପରେ ଜିଏସଟି ୧୮ ରୁ ୨୮ ପ୍ରତିଶତ ଲାଗିଥାଏ। ଏମିତିରେ କାର୍ର ଦାମ୍ ବେଶ୍ ବଢ଼ିଯାଇଥାଏ। ଅଟୋ ଇଣ୍ଡଷ୍ଟ୍ରି ଅନୁଯାୟୀ ସ୍ପେୟାର ପାର୍ଟ୍ସ ଉପରେ ଜିଏସଟି ଏକାଭଳି ଲଗାଯିବା ଏବଂ ଦ୍ବାରା ଦାମ୍ କମ୍ କରାଯିବାକୁ ଦାବି ହୋଇଛି। ଫଳରେ ଗ୍ରାହଙ୍କ ଉପରେ କମ୍ ବୋଝ ପଡ଼ିବ ଏବଂ ଇଲେକ୍ଟ୍ରିକ୍ ଯାନର ବିକ୍ରି ବଢ଼ିବ।
ସୂଚନାଯୋଗ୍ୟ, ସରକାର ଅନେକ ସମୟରୁ ଇଲେକ୍ଟ୍ରିକ୍ ଯାନକୁ ପ୍ରୋତ୍ସାହିତ କରୁଛନ୍ତି। ଇଲେକ୍ଟ୍ରିକ୍ ଯାନ ଯୋଗୁଁ ପ୍ରଦୂଷଣରେ ମଧ୍ୟ କମ୍ ହେବ ଏବଂ ଏହା ସହ ଇନ୍ଧନ ଖର୍ଚ୍ଚ ମଧ୍ୟ କମିବ। ଅବଶ୍ୟ ଇଲେକ୍ଟ୍ରିକ୍ ଯାନର ଅଧିକ ଦାମ୍ ଯୋଗୁଁ ସମସ୍ତେ କିଣିବାକୁ ପସନ୍ଦ କରୁନାହାଁନ୍ତି। ସରକାର ଏହାକୁ ସମସ୍ତଙ୍କ ପାଇଁ ସୁଲଭ କରିବାକୁ ଚେଷ୍ଟା କରୁଛନ୍ତି।
ଏଥିପାଇଁ ସରକାର ଫେମ୍ ଅବଧିକୁ ବୃଦ୍ଧି କରିବା ଉପରେ ବିଚାର କରିପାରନ୍ତି। ଏହା ସହ ପାର୍ଟ୍ସରେ ଲାଗୁଥିବା ଜିଏସଟିକୁ ହ୍ରାସ କରାଯାଇପାରେ। କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଲଗାତାର ଇଲେକ୍ଟ୍ରିକ୍ ଯାନ ଏବଂ ଇନ୍ଧନ ବିକଳ୍ପ ଇନ୍ଧନ ଦ୍ବାରା ପରିଚାଳିତ ଗାଡ଼ିକ ପ୍ରୋତ୍ସାହନ କରିଆସୁଛନ୍ତି।