ଦରମା ଏବଂ ପେନସନ ପାଇଁ ରହିଛି ଏତିକି କୋଟି, ବଜେଟ୍ ପାଇଁ କୁଆଡୁ ଆସେ ଅର୍ଥ, ଜାଣନ୍ତୁ ?
24/02/2023 at 5:59 PM

ଭୁବନେଶ୍ଵର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଇଛି। ଏଥିରେ କୃଷି ଏବଂ ସାଧାରଣ ବଜେଟ୍ ସାମିଲ୍। ଚଳିତ ବର୍ଷଠୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟବରାଦ ୧୫ ପ୍ରତିଶତ ଅଧିକ ରହିଛି। କୃଷି କ୍ଷେତ୍ର ପାଇଁ ୨୪,୮୨୯ କୋଟି ଟଙ୍କା ବ୍ୟବବରାଦ କରାଯାଇଛି।
୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରଶାସନିକ ବ୍ୟୟବରାଦ ୯୪ ହଜାର କୋଟି ଟଙ୍କା ରହିଛି। ସେଥିରୁ ଦରମା ପାଇଁ ୩୨,୪୪୯ କୋଟି ଟଙ୍କା, ପେନସନ ପାଇଁ ୧୯,୯୬୭ କୋଟି ଟଙ୍କା, ସୁଧ ଦେୟ ବାବଦକୁ ୭,୨୪୧ କୋଟି ଟଙ୍କା ଏବଂ ପୁଞ୍ଜି ସଂପତ୍ତିର ରକ୍ଷଣାବେକ୍ଷଣ ପାଇଁ ୧୩,୪୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
କେଉଁଠୁ ଆସିବ ଅର୍ଥ
ବ୍ୟୟ ଅଟକଳ ପାଇଁ ମୁଖ୍ୟତଃ ରାଜସ୍ଵ ପ୍ରାପ୍ତିରୁ ୧ ଲକ୍ଷ ୮୪ ହଜାର ୫୦୦ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ବାବଦରୁ ମିଳିବାକୁ ଥିବା ୪୫ ହଜାର ୫୦୦ କୋଟି ଟଙ୍କା ଭରଣା କରାଯିବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆକଳିତ ମୋଟ୍ ରାଜସ୍ଵ ପାପ୍ତି ମଧ୍ୟରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବେ ୪୬ ହଜାର ୨୫୧ କୋଟି ଟଙ୍କା, ରାଜ୍ୟର ନିଜସ୍ଵ ଟିକସ ରାଜସ୍ଵ ୫୩ ହଜାର କୋଟି ଟଙ୍କା, ନିଜସ୍ଵ ଅଣ ଟିକସ ରାଜସ୍ଵ ୫୨ ହଜାର ୫୦୦ କୋଟି ଏବଂ କେନ୍ଦ୍ରୀୟ ଅନୁଦାନ ବାବଦକୁ ୩୨ ହଜାର ୭୪୯ କୋଟି ଟଙ୍କା ରହିଛି।