ନିଜ ଇଛାରେ ‘ଭାରତ ଯୋଡୋ’ ଯାତ୍ରାରେ ଯୋଗ ଦେଲେ ବସପା ସାଂସଦ, ରାହୁଲ ପଠାଇଥିଲେ ନିମନ୍ତ୍ରଣ
25/12/2022 at 4:25 PM

ନୂଆଦିଲ୍ଲୀ ୨୫।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଦିଲ୍ଲୀ ପହଞ୍ଚିଛି। ଯାତ୍ରା ରାଜଧାନୀକୁ ପହଞ୍ଚିବା ପରେ ରାହୁଲ ଲାଲକିଲ୍ଲାରୁ ଯାତ୍ରାକୁ ସମ୍ବୋଧିତ ମଧ୍ୟ କରିଛନ୍ତି। ରାହୁଲଙ୍କ ଏହି ମଞ୍ଚରେ ସୋନିଆ, ପ୍ରିୟଙ୍କା, ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କୁ ଦେଖାଯାଇଛି। ଏହି ନେତାଙ୍କ ଗହଣରେ ଜଣେ ଅଣ କଂଗ୍ରେସ ନେତା ମଧ୍ୟ ଥିଲେ। ସେହି ନେତା ହେଉଛନ୍ତି ଶ୍ୟାମ ସିଂହ ଯାଦବ।
ଯାଦବ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବସପା) ର ସାଂସଦ ଓ ସେ ନିଜ ଇଛାରେ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଛନ୍ତି। ତେବେ ତାଙ୍କୁ ରାହୁଲଙ୍କ ମଞ୍ଚରେ ଦେଖି ବସପା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ଏ ପର୍ଯ୍ୟନ୍ତ ସେପରି କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ। ମାୟାବତୀ କଂଗ୍ରେସ ପାର୍ଟିଠୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ଏଣୁ ତାଙ୍କ ପାର୍ଟିର ସାଂସଦ କଂଗ୍ରେସ ମଞ୍ଚରେ ଦେଖି ମାୟାବତୀ ଅସନ୍ତୋଷ ପ୍ରକାଶ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।

କୁହାଯାଉଛି ଶ୍ୟାମ ସିଂହ ଯାଦବ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେବାକୁ ସୋନିଆଙ୍କୁ ଅନୁରୋଧ କରିଥିଲେ। ଏହି ଅନୁରୋଧ ଅନୁସାରେ ସୋନିଆ ରାହୁଲଙ୍କୁ ତାଙ୍କୁ ଯାତ୍ରାରେ ନିମନ୍ତ୍ରଣ କରିବାକୁ କହିଥିଲେ। ସେହି ଅନୁସାରେ ରାହୁଲ ଶ୍ୟାମ ସିଂହ ଯାଦବଙ୍କୁ ନିମନ୍ତ୍ରଣ କରିଥିବା ବେଳେ ଏଥିରେ ଯାଦବ ଯୋଗ ମଧ୍ୟ ଦେଇଛନ୍ତି। ନିମନ୍ତ୍ରଣ ଅନୁସାରେ ଯାଦବ ରାହୁଲଙ୍କ ସହ ପଦଯାତ୍ରା ମଧ୍ୟ କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ତାଙ୍କ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନଥିବାରୁ ହୁଏତ ସେ ମାୟାବତୀଙ୍କ ସହ କଥା ହୋଇ ଯାତ୍ରାରେ ଯୋଗ ଦେଇଥାଇପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।
ଶ୍ୟାମ ସିଂହ ଯାଦବ ଉତ୍ତରପ୍ରଦେଶ ଜୌନପୁରରୁ ବସପାର ଲୋକସଭା ସାଂସଦ। ଯାତ୍ରାରେ ସାମିଲ ହୋଇ ବସପା ସାଂସଦ ହୋଇ ମଧ୍ୟ ସେ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଓ ରାହୁଲଙ୍କ ମଞ୍ଚ ରାଜନୀତିରୁ ଊର୍ଦ୍ଧ୍ୱରେ ବୋଲି କହିଛନ୍ତି। ରାହୁଲଙ୍କ ଆମନ୍ତ୍ରଣ କ୍ରମେ ସେ ଯାତ୍ରାରେ ଯୋଗ ଦେଇଥିବା କହିଛନ୍ତି। ସେ ଏହି ଯାତ୍ରାର ଉଦ୍ଦେଶ୍ୟକୁ ମହତ ବୋଲି କହିଛନ୍ତି କାରଣ ଏବେ ଧର୍ମ, ଜାତି ଓ ସଂସ୍କୃତି ନାମରେ ଏବେ ଦେଶରେ ଭେଦଭାବ ହେଉଛି। ତେବେ ଆମର ପରିଚୟ ବିବିଧତାରେ ଏକତା ଏହା ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ପ୍ରମାଣିତ କରୁଥିବା ସେ କହିଛନ୍ତି।