ବିଏସଏଫ ଯବାନଙ୍କ ମହନୀୟତା, ଖଟିଆରେ ୧୨ କିଲୋମିଟର ବୋହି ବୃଦ୍ଧଙ୍କୁ ମେଡିକାଲରେ ପହଞ୍ଚାଇଲେ

Published By : Prameya-News7 Bureau | September 30, 2022 IST

ମାଥିଲି: ମାନବିକତା ଦେଖାଇଲେ ଯବାନ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ଡାବୁଗୁଡା ଗ୍ରାମରେ । ଖଇରପୁଟ ସ୍ଥିତ ୧୫୧ ବିଏସଏଫ ବାଟାଲିୟନର ଯବାନ ମାନେ କମ୍ବିଂ ଅପେରେସନ ସାରି ଫେରୁଥିବା ବେଳେ ବ୍ଳକର  ଡାବୁଗୁଡା ଗ୍ରାମରେ  ଜଣେ ୭୦ ବର୍ଷୀୟ ବୃଦ୍ଧ ଅସୁସ୍ଥଙ୍କୁ ଖଟିଆରେ ୧୨ କିଲୋମିଟର ବହି ମେଡିକାଲରେ ପହଞ୍ଚାଇଛନ୍ତି।

ବୃଦ୍ଧ ଦାମୋଦର ଜ୍ଵରରେ ଆକ୍ରାନ୍ତ ହୋଇ ଅତ୍ୟନ୍ତ ଦୁର୍ବଳ ହେବାସହ ଗମନାଗମନର ଅସୁବିଧା ଯୋଗୁଁ ଡାକ୍ତରଖାନା କୁ ଆସିନପାରି ଘରେ ଅସହାୟ ଅବସ୍ଥା ରେ ପଡିରହିଥିଲେ । ବୃଦ୍ଧ ଜଣଙ୍କୁ ନିକଟସ୍ଥ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ପହଞ୍ଚି ନଥିଲା କିମ୍ବା ବୃଦ୍ଧ ଜଣକ ନିଜେ ପାଦରେ ଚାଲି ଆସିବା ପାଇଁ ଅସମର୍ଥ ଥିଲେ। ଏହି ବିଷୟ ଜାଣିବାପରେ ବିଏସଏଫ ଯବାନ ମାନେ ଉକ୍ତ ବୃଦ୍ଧ ବ୍ୟକ୍ତି ଜଣଙ୍କୁ ଏକ ଖଟିଆ ସାହାଯ୍ୟରେ ଭାର କରି ଡାବୁଗୁଡା ଠାରୁ ଦୀର୍ଘ ୧୨ କିଲୋମିଟର କାନ୍ଧରେ ବୋହି ଆଣି ଖଇରପୁଟ ଡାକ୍ତରଖାନାରେ ପହଁଚାଇଥିଲେ ଓ ଏହାପରେ ଡାକ୍ତର ମାନେ ଉକ୍ତ ବୃଦ୍ଧଙ୍କୁ ଚିକିତ୍ସା କରିଥିଲେ  । ଚିକିତ୍ସା ପରେ ବୃଦ୍ଧ ଜଣକ ସୁସ୍ଥ ଥିବା ଜଣାଯାଇଛି । ବିଏସଏଫ ଯବାନ ମାନଙ୍କ ଏଭଳି ମାନବିକତା କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.