ଉତ୍ତରପ୍ରଦେଶ ଗାଜିଆବାଦରେ ଦୁଇ ବିଏସଏଫ କନେଷ୍ଟବଳଙ୍କ ମଧ୍ୟରେ ଝଗଡା ; ଜଣଙ୍କ ଗୁଳିମାଡରେ ଅନ୍ୟ ଜଣେ ମୃତ

Published By : Prameya-News7 Bureau | October 01, 2018 IST

ଗାଜିଆବାଦ ୧|୧୦:  ଉତ୍ତରପ୍ରଦେଶ ସାହିବାବାଦ ସ୍ଥିତ ବ୍ରିଜ୍ ବିହାରରେ ଜଣେ ବିଏସଏଫ କନେଷ୍ଟବଳଙ୍କ ଗୁଳିରେ ଅନ୍ୟ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ହୋଇଛି । ପୋଲିସ ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ କରି ମାମଲା ଦାୟର କରିଛି । ସୂଚନା ଅନୁସାରେ ଉତ୍ତରପ୍ରଦେଶ ସାହିବାବାଦରେ କୃଷକ ଆନ୍ଦୋଳନ ଯୋଗୁଁ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ରିଜ୍ ବିହାର ସ୍ଥିତ ବାଲ୍ ଭାରତୀ ସ୍କୁଲରେ ବିଏସଏଫର ୯୫ ବାଟାଲିଅନ୍ ରହିଥିଲେ । ରବିବାର ରାତି ପ୍ରାୟ ୮ଟା ବେଳେ ବାଟାଲିୟନ୍ ସ୍କୁଲରେ ପହଞ୍ଚିଥିଲେ । ସ୍କୁଲରେ ପହଞ୍ଚିବା ପରେ ପଞ୍ଜାବ ଗୁରୁଦାସପୁରର ବିଏସଏଫ କନେଷ୍ଟବଳ ଜଗପ୍ରିତ ସିଂହ ଏବଂ ପଠାଣକୋଟ ମଲକପୁରର ଅଜିତ ସିଂହଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ସହଯୋଗୀମାନେ ଉଭୟଙ୍କୁ ଚୁପ୍ କରାଇ ଶୋଇବାକୁ ଚାଲିଯାଇଥିଲେ । ଆଜି ସକାଳ ପ୍ରାୟ ୬ଟା ବେଳେ ଅଜିତ ନିଜ ସର୍ଭିସ୍ ବନ୍ଧୁକରୁ ଜଗପ୍ରିତଙ୍କୁ ଗୁଳି ମାରିଦେଇଥିଲେ । ଫଳରେ ଜଗପ୍ରିତଙ୍କର ମୃତ୍ୟୁ ହୋଇଥିଲା । ସହଯୋଗୀମାନେ ସଙ୍ଗେସଙ୍ଗେ ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ କରି କରିଛି । ଘଟଣାସ୍ଥଳରେ ବିଏସଏଫର ଡିଆଇଜି ଏମଏଚ ଖାନ୍ ଏବଂ କମାଣ୍ଡାଣ୍ଟ ବିଜୟ ପହଞ୍ଚି ତଦନ୍ତ କରିଛନ୍ତି । ବାଟାଲିୟନ୍ ର ସହଯୋଗୀମାନେ କହିଛନ୍ତି ଜଗପ୍ରିତ ଏବଂ ଅଜିତ ବହୁତ ଭଲ ସାଙ୍ଗ ଥିଲେ । ଦୁହେଁ ଏକାସହ ରହୁଥିଲେ ମଧ୍ୟ । ଏସଏସପି ବୈଭବ କୃଷ୍ଣ କହିଛନ୍ତି ଯେ, ଅଜିତକୁ ପଚରାଉଚରା ପରେ ପୁରା ଘଟଣା ସଂପର୍କରେ ଜଣାପଡିବ । ମାମଲାର ତଦନ୍ତ ଚାଲିଛି, ତଦନ୍ତ ପରେ ଏଫଆଇଆର ଦାୟର କରି ଅଭିଯୁକ୍ତକୁ ଜେଲ୍ ପଠାଯିବ । ଘଟଣା ପଛରେ କିଛି ବଡ କାରଣ ଥିବା ପୋଲିସ ସନ୍ଦେହ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.