ସେୟାର ବଜାରରେ ନୂଆ ରେକର୍ଡ: BSE ମାର୍କେଟ୍ କ୍ୟାପ୍ ହେଲା ଜିଡିପିରୁ ଅଧିକ, ପ୍ରଥମ ଥର ୪ ଟ୍ରିଲିୟନ ଡଲାର ଟପିଲା

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ: ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକ ମାର୍କେଟ୍ ଭେଲ୍ୟୁଏସନ୍ ମଙ୍ଗଳବାର ପ୍ରଥର ଥର ପାଇଁ ରେକର୍ଡ ୪ ଟ୍ରିଲିୟନ ଡଲାର ପାର କରିଛି । ସେୟାର ବଜାରରେ ଦମଦାର ପ୍ରଦର୍ଶନ ଯୋଗୁଁ ଏହି ରେକର୍ଡ ସ୍ଥାପନ ହୋଇଛି । ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଲିଷ୍ଟେଡ୍ କମ୍ପାନିଙ୍କ ମୋଟ ମାର୍କେଟ୍ କ୍ୟାପ୍ ପ୍ରଥମ ଥର ୩୩୩.୧୩ ଲକ୍ଷ କୋଟି ଟଙ୍କା (ପ୍ରାୟ ୪ ଟ୍ରିଲିୟନ) ଅତିକ୍ରମ କରିଛି । ଯାହା ଦେଶର ମୋଟ ସକଳ ଘରୋଇ ଉତ୍ପାଦ (ଜିଡିପି)ରୁ ମଧ୍ୟ ଅଧିକ ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ମାର୍କେଟ୍ କ୍ୟାପ ୩୩୩ ଲକ୍ଷ କୋଟି ଟଙ୍କା ପାର କରିଛି । ଅନ୍ୟପଟେ ଦେଶର ଡିଜିପି ଆର୍ଥିକ ବର୍ଷ ୨୩ରେ ୨୭୩.୦୭ ଲକ୍ଷ କୋଟି ଟଙ୍କା ଥିଲା । ବଜେଟରେ ଆର୍ଥିକ ବର୍ଷ ୨୪ ପାଇଁ ଜିଡିପି ୩୦୧.୭୫ ଲକ୍ଷ କୋଟି ଟଙ୍କା ଅନୁମାନ ରଖାଯାଇଛି ।

ପଢନ୍ତୁ: ୩ ହଜାର ବିଲିୟନ ଡଲାରର ବିକଶିତ ଅର୍ଥବ୍ୟବସ୍ଥା ପାଇଁ ଭିଜନ୍‌ ପ୍ରସ୍ତୁତ

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକ ମାର୍କେଟ୍ କ୍ୟାପ୍ ୨୦୦୭ ମେ'ରେ ଏକ ଟ୍ରିଲିୟନ ଡଲାର ଛୁଇଁଥିଲା । ଏହାକୁ ଡବଲ ହେବା ପାଇଁ ୧୦ ବର୍ଷ ସମୟ ଲାଗିଥିଲା । ୨୦୧୭ ଜୁଲାଇରେ ମାର୍କେଟ୍ ୨ ଟ୍ରିଲିୟନ ଡଲାର ପାର କରିଥିଲା । ଏହାପରେ ୨୦୨୧ ମେ'ରେ ବିଏସଇ ମାର୍କେଟ୍ କ୍ୟାପ୍ ତିନି ଟ୍ରିଲିୟନ ଡଲାର ଅତିକ୍ରମ କରିଥିଲା । ବର୍ତ୍ତମାନ ସମୟରେ ୪ ଟ୍ରିଲିୟନ ଡଲାରରୁ ଅଧିକ ଏମ୍-କ୍ୟାପ କ୍ଲବରେ ତିନି ଦେଶ ଆମେରିକା, ଚୀନ ଓ ଜାପାନ ଅଛନ୍ତି । ହଂକଂ ମଧ୍ୟ ଏହି କ୍ଲବର ଅଂଶ, କିନ୍ତୁ ଏକ ବଡ଼ ଯୋଗଦାନ ଅନ୍ୟ ସ୍ଥାନରେ ଥିବା କମ୍ପାନିରୁ ରହିଛି, ମୁଖ୍ୟ ରୂପେ ଚୀନରୁ ।

୪୮ ଟ୍ରିଲିୟନ୍ ଡଲାର ମାର୍କେଟ୍ କ୍ୟାପ୍ ସହ ଆମେରିକା ଦୁନିଆର ସବୁଠୁ ବଡ଼ ଇକ୍ୱିଟି ମାର୍କେଟ୍ । ଏହାପରେ ଚୀନ (୯.୭ ଟ୍ରିଲିୟନ ଡଲାର) ଓ ଜାପାନ (୬ ଟ୍ରିଲିୟନ ଡଲାର) ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି । ବ୍ଲୁମବର୍ଗର ଡାଟା ଅନୁସାରେ, ଚଳିତ କ୍ୟାଲେଣ୍ଡର ବର୍ଷରେ ଏବେ ସୁଦ୍ଧା ଭାରତର ମାର୍କେଟ୍ କ୍ୟାପ୍ ପ୍ରାୟ ୧୫ ପ୍ରତିଶତ ବଢିଛି । ଚୀନ ମାର୍କେଟ୍ କ୍ୟାପରେ ୫ ପ୍ରତିଶତ ହ୍ରାସ ରେକର୍ଡ ହୋଇଛି । ସଂଯୁକ୍ତ ବିଶ୍ୱ ବଜାର ପୁଞ୍ଜି ଚଳିତ ବର୍ଷ ୧୦ ପ୍ରତିଶତ ବଢି ୧୦୬ ଟ୍ରିଲିୟନ ଡଲାର ହୋଇଛି ।

Also Read: ୭୨୮ ପଏଣ୍ଟକୁ ଛୁଇଁଲା ସେନସେକ୍ସ, ଦିନକରେ ନିବେଶକଙ୍କ ୨.୧୧ଲକ୍ଷ କୋଟି ଟଙ୍କା ଲାଭ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.