ବେପାର ବେଳେ ମାଡ଼ିବସିଲା ପୋଲିସ୍, ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ସହ ଜଣେ ଗିରଫ
9/02/2023 at 9:23 PM

ପୁରୀ, ୦୯/୦୨: ପୁଣି ପୁରୀରୁ ଜବତ ହେଲା ବ୍ରାଉନ ସୁଗାର। ସମୁଦ୍ର କୂଳ ଥାନା ଅନ୍ତର୍ଗତ ୟୁଥ୍ ହଷ୍ଟେଲ ନିକଟରୁ ୮ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ହେଉଛି ରାମଚଣ୍ଡୀ ସାହି ବାଲିକୁଦା ଅଞ୍ଚଳର ଲୋକନାଥ ନନ୍ଦ। ଲୋକନାଥ ଠାରୁ ଅବକାରୀ ବିଭାଗ ୮୮ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ, ସଦର ରେଞ୍ଜର ନିରୀକ୍ଷକ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ୟୁଥ୍ ହଷ୍ଟେଲ ନିକଟ ଫୁଡ୍ କୋର୍ଟ ସାମ୍ନାରେ ବ୍ରାଉନ ସୁଗାର ବେପାର ଚାଲିଥିବା ନେଇ ଖବର ପାଇ ଚଢ଼ାଉ କରିଥିଲେ। ବ୍ରାଉନ ସୁଗାର ବିକ୍ରି ନେଇ ଅଭିଯୁକ୍ତ ଲୋକନାଥ ନନ୍ଦକୁ ଅବକାରୀ ବିଭାଗ ଗିରଫ କରିବା ସହ ତା ଠାରୁ ୮୮ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ। ସଦର ରେଞ୍ଜ କେସ ନଂ -୧୦୦/୨୨-୨୩ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ପୁରୀ କାରଗାରକୁ ପଠାଯାଇଛି।