ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଭାଇ, ଏନ୍‌କାଉଣ୍ଟର ଭୟରେ କୋର୍ଟରେ ଲୁଚିଥିଲା

Published By : Prameya-News7 Bureau | December 23, 2020 IST

ନୂଆଦିଲ୍ଲୀ ୨୩/୧୨: କାନପୁରର ବିକେରୁ ଗାଁରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଭାଇ ଦୀପକ ଦୁବେ ଆତ୍ମସମର୍ପଣ କରିଛି। ଦୀପକ ଦୁବେ ଲକ୍ଷ୍ନୌର ଏକ ଅଦାଲତରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ମଙ୍ଗଳବାର ରାତିରେ ସମସ୍ତଙ୍କୁ ଲୁଚି ଚୁପଚାପ କୋର୍ଟରେ ପହଞ୍ଚି ଆତ୍ମସମର୍ପଣ କରିଛି ଦୀପକ ଦୁବେ।

କୋର୍ଟରେ ଦୋଷ ସ୍ବିକାର କରି ଆତ୍ମସମର୍ପଣ କରିଥିବା ଦୀପକ ଦୁବେକୁ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଏହା ପୂର୍ବରୁ ଦୀପକ ଉପରେ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଉତ୍ତରପ୍ରଦେଶ ପୋଲିସ। ଦୀପକ ଏମିତି ଲୁଚି ଛପି ସରେଣ୍ଡର କରିଛି ଯେ, ଏନେଇ ପୋଲିସ ଓ ମିଡିଆକୁ କୌଣସି ସୂଚନା ମିଳିପାରିନଥିଲା। ବୁଧବାର ଦିନ ଦୀପକର ସରେଣ୍ଡର ପ୍ରସଙ୍ଗ ସାର୍ବଜନୀନ ହୋଇଛି। ବିକେରୁ ମାମଲାରେ ଦୀପକ ଫେରାର ଥିଲା।

ଗତ ସପ୍ତାହରେ ଦୀପକର ଏକ କୋଟିର ସମ୍ପତି ଜବତ କରିଥିଲା ପୋଲିସ। ଦୀପକ ବିରୁଦ୍ଧରେ ଲକ୍ଷ୍ନୌର କୃଷ୍ଣା ନଗର ପୋଲିସ ଥାନାରେ ମାମଲା ରୁଜୁ ହୋଇଥିଲା। ୩ ଜୁଲାଇରେ ବିକେରୁ ମାମଲା ପରଠୁ ପୋଲିସ ଦୀପକକୁ ଖୋଜୁଥିଲା। ଏବେ ଯାଏ ଦୀପକ ପୋଲିସକୁ ଚକମା ଦେଇ ଖସି ବୁଲୁଥିଲା। କିନ୍ତୁ ଦୀପକକୁ ପୋଲିସର ଏନକାଉଣ୍ଟର ଭୟ ଘାରିଥିଲା ବୋଲି ଜଣାପଡ଼ିଛି। ତେଣୁ କୋର୍ଟ ପରିସରରେ ସୋମବାର ରାତିରୁ ଲୁଚି ବସିଥିଲା ଦୀପକ। ମଙ୍ଗଳାବର ସନ୍ଧ୍ୟାରେ କୋର୍ଟରେ ସେ ଆତ୍ମସମର୍ପଣ କରିଛି।

ସୂଚନାଯୋଗ୍ୟ, ବିକାଶ ଦୁବେ ଏନକାଉଣ୍ଟରରେ ପ୍ରାଣ ହରାଇଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଓ ତା ଗ୍ୟାଙ୍ଗ ଚଳିତ ବର୍ଷ ୩ ଜୁଲାଇରେ ବିକେରୁ ଗାଁରେ ପହଞ୍ଚିଥିବା ପୋଲିସ  କର୍ମଚାରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୮ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ। ଏହା ପରେ ୧୦ ଜୁଲାଇରେ ବିକାଶ ଦୁବେକୁ ପୋଲିସ ମଧ୍ୟପ୍ରଦେଶର ଉଜ୍ଜୈନରୁ ଗିରଫ କରି କାନପୁର ନେଉଥିଲା। ଏହି ସମୟରେ ହୋଇଥିବା ପୋଲିସ ଗାଡ଼ି ଦୁର୍ଘଟଣାରେ ବିକାଶ ଦୁବେ ଖସିଯିବାକୁ ଚେଷ୍ଟା କରୁଥିବା ବେ​‌ଳେ ପୋଲିସ ଗୁଳିରେ ଆଖି ବୁଜିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.