କଣାସ: ପୋଖରୀରେ ବୁଡ଼ି ଭାଇ-ଭଉଣୀଙ୍କ ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଡେଲାଙ୍ଗ ଥାନା ଅର୍ନ୍ତଗତ ହୁମର ଗ୍ରାମରେ। ସୋମବାର, ଗ୍ରାମର ଶଙ୍କର ରାଉତଙ୍କର ୯ବର୍ଷର ପୁଅ ଶୁଭେନ୍ଦୁ ରାଉତ ଓ ୭ବର୍ଷର ଝିଅ ଶୁଭଲକ୍ଷ୍ମୀ ରାଉତଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଦୁଇ ଶିଶୁ ସ୍କୁଲୁରୁ ଫେରିବା ପରେ ଶୌଚ ହେବା ପାଇଁ ଘର ପାଖ ପୋଖରୀକୁ ଯାଇଥିଲେ। କିନ୍ତୁ ଅସାବଧାନତା ବଶତଃ ଦୁଇ ଜଣଙ୍କ ଗୋଡ଼ ଖସିଯିବାରୁ ଉଭୟ ପାଣିରେ ବୁଡ଼ି ଯାଇଥିଲେ। ତେବେ ଘରକୁ ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ। ଆଉ ପରବର୍ତ୍ତୀ ସମୟରେ ଦୁଇଜଣଙ୍କୁ ପୋଖରୀ ପାଣିରୁ ଉଦ୍ଧାର କରିଥିଲେ ଗ୍ରାମବାସୀ।
You Can Read: ଓସ୍ତପୁର ତିଆଡ଼ିକଣ୍ଡିଆରେ ସଡକ ଦୁର୍ଘଟଣା, ୩ ଡ୍ରାମା କଳାକାରଙ୍କ ମୃତ୍ୟୁ
ଅବଶ୍ୟ ସେମାନଙ୍କୁ ନିକଟସ୍ଥ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ଗ୍ରାମବାସୀ । କିନ୍ତୁ ଡାକ୍ତର ତାଙ୍କର ସେଠାରେ ଦୁଇ ଜଣକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ସେପଟେ ଅକାଳରେ ଦୁଇ କୋମଳମତି ଶିଶୁଙ୍କ ହରାଇ ଶଙ୍କରଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି। ଘଟଣା ପରେ ହୁମର ସମେତ ସମଗ୍ର ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।