ସାଧାରଣତନ୍ତ୍ର ଦିବସ‌ରେ ମୁଖ୍ୟ ଅତିଥି ହୋଇ ପାରନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ, ଆମନ୍ତ୍ରଣ ଦେଲେ ମୋଦୀ

Published By : Prameya-News7 Bureau | December 02, 2020 IST

ନୂଆଦିଲ୍ଲୀ ୦୨।୧୨: ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୨୦୨୧ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇ ପାରନ୍ତି। ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ଵର ୨୭ରେ ଟେଲିଫୋନ୍‌ରେ ଆଲୋଚନା ସମୟରେ ଜନସନ୍‌ଙ୍କୁ ଔପଚାରିକ ଭାବେ ଆମନ୍ତ୍ରିତ କରିଛନ୍ତି। ଜନସନ ମଧ୍ୟ ନିଜ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆସନ୍ତା ବର୍ଷ ବ୍ରିଟେନ୍‌ରେ ଆୟୋଜିତ ହେଉଥିବା ଜି-୭ ଶିଖର ସମ୍ମିଳନୀ ନିମନ୍ତେ ଆମନ୍ତ୍ରଣ କରିଛନ୍ତି। ବିଟ୍ରିଶ ଉଚ୍ଚାୟୋଗର ମୁଖପାତ୍ର କହିଛନ୍ତି, ଏହାକୁ ନେଇ ଆନୁଷ୍ଠାନିକ ଭାବେ ବର୍ତ୍ତମାନ କିଛି କହି ପାରିବୁ ନାହିଁ। କିନ୍ତୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଖୁବ୍ ଶୀଘ୍ର ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଶେଷ ଥର ବ୍ରିଟିଶ ପ୍ରଧାନମନ୍ତ୍ରୀ ଜନ ମେଜର ୧୯୯୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜନସନଙ୍କ ଗସ୍ତକୁ ନେଇ ନୂଆଦିଲ୍ଲୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ନଭେମ୍ଵର ୨୭ରେ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେ ଆଗାମୀ ଦଶନ୍ଧିରେ ଭାରତ-ବ୍ରିଟେନର ମହତ୍ଵାକାଂକ୍ଷୀ ରୋଡ୍‌-ମ୍ୟାପ୍‌ ଉପରେ ୟୁକେର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସହିତ ସକରାତ୍ମକ ଆଲୋଚନା କରିଛନ୍ତି। ମୋଦୀ କହିଛନ୍ତି, ଆମେ ସମସ୍ତ କ୍ଷେତ୍ରରେ ଆମର ସହଯୋଗୀ ଦେଶଙ୍କ ସହିତ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସହମତି ଭିତ୍ତିରେ କାମ କରିବୁ।

ବ୍ରିଟେନ୍‌ର ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କ ଅନୁଯାୟୀ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ବହୁତ ସକରାତ୍ମକ ରହିଥିଲା। ବିଶେଷ କରି ପ୍ରଧାନମନ୍ତ୍ରୀ ଜନସନ ଭାରତ ସହିତ ଏକ ମୁକ୍ତ ବାଣିଜ୍ୟ ପାଇଁ ରାଜିନାମା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଉଭୟ ଦେଶ ସହଭାଗିତା ସହ କାମ କରିବେ ବୋଲି କହିଛନ୍ତି। ଦୁଇ ନେତା ଉଭୟ ଦେଶ ମଧ୍ୟରେ ଭାଗିଦାରୀକୁ ଆହୁରି ମଜବୁତ କରିବା ଏବଂ କୋଭିଡ୍-୧୯ ମୁକାବିଲା ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.