କରୋନାରେ ଖୁସି ଖବର : ମା’ ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପ୍ରେମିକା

Published By : Prameya-News7 Bureau | April 29, 2020 IST

ଲଣ୍ଡନ ୨୯।୪: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିବା ପରେ ତାଙ୍କ ପାଇଁ ଆଉ ଏକ ଖୁସିର ଖବର । ସେ ବାପା ହେବାର ସୌଭାଗ୍ୟଲାଭ କରିଛନ୍ତି । ବୋରିସ୍ ଜନସନଙ୍କ ଭାବିପତ୍ନୀ କ୍ୟାରୀ ସାଇମଣ୍ଡସ୍ ଆଜି ଲଣ୍ଡନର ଏକ ଡାକ୍ତରଖାନାରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । କୁହାଯାଉଛି ଯେ ଉଭୟ ମା’ ଏବଂ ପୁଅ ସୁସ୍ଥ ଅଛନ୍ତି ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଭାବିପତ୍ନୀଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ଘଟଣା । ଶିଶୁର ଜନ୍ମକୁ ନେଇ ଉଭୟ ବହୁତ ଖୁସି ଅନୁଭବ କରୁଛନ୍ତି । ମାର୍ଚ୍ଚରେ ବୋରିସ୍ କରୋନା ପଜିଟିଭ୍ ଥିବା ଜଣାପଡିଥିଲେ ​​ଏବଂ ଅପ୍ରେଲ ପ୍ରଥମ ସପ୍ତାହରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କରୋନା ମହାମାରୀରୁ ସୁସ୍ଥ ହେବା ପରେ ଜନସନ ଅପ୍ରେଲ ୧୨ରେ ସେଣ୍ଟ ଥୋମାସ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ଡିସଚାର୍ଜ ହେବା ପରେ ସେ ଅପ୍ରେଲ ୨୭ରେ କାର୍ଯ୍ୟାଳୟରେ ଯୋଗଦେଇଥିଲେ ।

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ବୋରିସ୍ ଜନସନ ପୈତୃକ ଛୁଟି ନେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ସେ ଆଜି ସଂସଦରେ ପ୍ରଶ୍ନର ଉତ୍ତର ଦେଇପାରିବେ ବୋଲି ଆଶା କରାଯାଉଛି । ଜନସନ କହିଛନ୍ତି ଯେ, କରୋନାରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ମଧ୍ୟ କ୍ୟାରୀ ତାଙ୍କୁ ଶିଶୁ ସହ ଜଡିତ ପ୍ରତ୍ୟେକ ସୂଚନା ପଠାଉଥିଲେ । ଏହା ତାଙ୍କୁ କରୋନା ସହିତ ଲଢିବାରେ ଉତ୍ସାହିତ କରିଥିଲା ​​।

କ୍ୟାରୀଙ୍କଠାରେ କରୋନା ଭାଇରସର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା ​​ । ଫଳରେ ସେ ଆଇସୋଲେସନରେ ରହିବା ପାଇଁ ଏକ ଭିନ୍ନ ସ୍ଥାନକୁ ଚାଲିଯାଇଥିଲେ । ସେଲ୍ଫ ଆଇସୋଲେସନରେ ରହିବା ପରେ ବର୍ତ୍ତମାନ ଜନସନଙ୍କ ସହ ରହିବାକୁ ଘରକୁ ଫେରିଛନ୍ତି । ଏହି ବିପର୍ଯ୍ୟୟ ମଧ୍ୟରେ ପୁତ୍ର ସନ୍ତାନ ଜନ୍ମ ହେବା ପରେ ପ୍ରଧାନମନ୍ତ୍ରୀ ଜନସନଙ୍କ ଘରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.