ଭାରତୀୟଙ୍କୁ ଝଟକା ଦେଇପାରେ ବ୍ରିଟେନ୍ର ସୁନକ ସରକାର, ଏହି ନିୟମରେ ହୋଇପାରେ ପରିବର୍ତ୍ତନ
26/01/2023 at 6:26 PM

ନୂଆଦିଲ୍ଳୀ, ୨୬/୦୧: ଭାରତୀୟ ଛାତ୍ରଙ୍କୁ ବଡ଼ ଝଟକା ଦେଇପାରେ ବ୍ରିଟେନ୍ର ଋଷି ସୁନକଙ୍କ ସରକାର। ବ୍ରିଟେନ୍ର ଗୃହ ବିଭାଗ ବିଦେଶୀ ଛାତ୍ରଙ୍କ ଭିଜା ଅବଧି କମାଇବାକୁ ନେଇ ପ୍ରସ୍ତୁତି କରୁଛନ୍ତି। ଗ୍ରାଜୁଏସନ ପରେ ବ୍ରିଟେନରେ ରହିବା ପାଇଁ ମିଳୁଥିବା ୬ ମାସର ଭିଜା ଅବଧିକୁ କମ୍ କରାଯାଇପାରେ। ଯଦି ଏଭଳି ହେଉଛି ତେବେ ଏହାର ପ୍ରଭାବ ଅନେକାଂଶରେ ଭାରତୀୟ ଯୁବକଙ୍କ ଉପରେ ପଡ଼ିବ। ଅବଶ୍ୟ ବ୍ରିଟେନ୍ର ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ବିରୋଧରେ ରହିଛନ୍ତି।
ବୁଧବାର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନ୍ର ଗୃହମନ୍ତ୍ରୀ ସୁଏଲଶ ବ୍ରେବରମ୍ୟାନ୍ ‘ଗ୍ରାଜୁଏଟ୍ ଭିଜା ରୁଟ୍’ ରେ ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଯଦି ଏହା ଲାଗୁ ହେବ ତେବେ ଗ୍ରାଜୁଏସନ ପରେ ମିଳୁଥିବା ୬ ମାସର ଭିଜା ଅବଧି ହ୍ରାସ ହେବ। ପ୍ରକୃତରେ ବର୍ତ୍ତମାନ ସମୟରେ ଯଦି କେହି ବିଦେଶୀ ନାଗରିକ ବ୍ରିଟେନ୍ର କୌଣସି କଲେଜ୍ରୁ ଗ୍ରାଜୁଏଟ୍ ହେଉଛନ୍ତି ତେବେ ତାଙ୍କୁ ଓ୍ବାର୍କ ଭିଜା (କାମ ପାଇଁ) ପାଇବା ତଥା ଚାକିରି ପାଇଁ ୬ ମାସର ସମୟ ଦିଆଯାଇଥାଏ। ଯଦି ଏହି ୬ ମାସ ମଧ୍ୟରେ ଓ୍ବାର୍କ ଭିଜା ହାସଲ କରିପାରୁନାହାଁନ୍ତି ତେବେ ତାଙ୍କୁ ନିଜ ଦେଶକୁ ଫେରିବାକୁ ପଡ଼ିଥାଏ। କିନ୍ତୁ ଯଦି ଏହି ସମୟ ହ୍ରାସ କରାଯିବ ତେବେ ଏହା ଅସୁବିଧା ହୋଇପାରେ।
ରିପୋର୍ଟ ଅନୁଯାୟୀ ବ୍ରିଟେନ୍ର ଶିକ୍ଷା ବିଭାଗ ଏହି ନିଷ୍ପତ୍ତିକୁ ରୋକିବାକୁ ଚେଷ୍ଟା କରୁଛି। ଯଦି ଏହି ପରିବର୍ତ୍ତନ ହେଉଛି ତେବେ ବ୍ରିଟେନ୍ରେ ପଢ଼ିବାକୁ ଚାହୁଥିବା ଛାତ୍ରଙ୍କ ଆକର୍ଷଣ ବ୍ରିଟେନ୍ ପ୍ରତି କମ୍ ହୋଇଯିବ। ନିକଟରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୃହ ମନ୍ତ୍ରାଳୟ ଏବଂ ଶିକ୍ଷା ବିଭାଗରୁ ବ୍ରିଟେନ୍ରେ ପଢ଼ିବାକୁ ଆସୁଥିବା ବିଦେଶୀ ଛାତ୍ରଙ୍କ ସଂଖ୍ୟାରେ ହ୍ରାସ ଆଣିବାକୁ ନେଇ ଯୋଜନାର ପ୍ରସ୍ତାବ ଦେବାକୁ କହିଥିଲେ। ଯାହାପରେ ଗୃହ ମନ୍ତ୍ରାଳୟ ଅନେକ ପ୍ରସ୍ତାବ ପ୍ରସ୍ତୁତ କରିଥିଲା ଯେଉଁଥିରେ ଏହି ପ୍ରସ୍ତାବ ମଧ୍ୟ ସାମିଲ୍ ରହିଥିଲା।
ଅଫିସ୍ ଫର ନାସନାଲ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁଯାୟୀ ବିଶ୍ବରେ ଅନ୍ୟ ଦେଶରେ ଯାଇ ପାଠ ପଢ଼ୁଥିବା ସଂଖ୍ୟାରେ ଭାରତୀୟମାନେ ଚୀନ୍କୁ ପଛରେ ପକାଇଛି । ତଥ୍ୟ ଅନୁଯାୟୀ ବର୍ତ୍ତମାନ ବ୍ରିଟେନ୍ରେ ପ୍ରାୟ ୬ ଲକ୍ଷ ୮୦ ହଜାର ଛାତ୍ର ପଢ଼ୁଛନ୍ତି। ବ୍ରିଟେନ୍ର ଋଷି ସୁନକ ସରକାରଙ୍କ ଲକ୍ଷ୍ୟ ୨୦୩୦ ସୁଦ୍ଧା ଏହି ଛାତ୍ରଙ୍କ ସଂଖ୍ୟାରେ ହ୍ରାସ କରି ୬ ଲକ୍ଷ କରିବାର ରହିଛି। ଏଥିପାଇଁ ଋଷି ସୁନକ ଗୃହ ବିଭାଗ ଏବଂ ଶିକ୍ଷା ବିଭାଗ ଠାରୁ ପ୍ରସ୍ତାବ ଦେବାକୁ କହିଥିଲେ।