ବିଦେଶରୁ ଆସି ସାପ ଉଦ୍ଧାରକାରୀ ମିର୍ଜାଙ୍କୁ ଭେଟିଲେ ବ୍ରିଟେନ୍ ଦମ୍ପତ୍ତି; ଦେଖିଲେ ସାପ ଉଦ୍ଧାର ବେଳର ଜୀବନ୍ତ ଚିତ୍ର…
25/02/2023 at 10:43 PM

ଭଦ୍ରକ ୨୫/୦୨: ସୁଦୂର ବ୍ରିଟେନ୍ରୁ ଭଦ୍ରକ ଆସିଛନ୍ତି ବିଦେଶୀ ଦମ୍ପତ୍ତି। ସାପ ଉଦ୍ଧାରକାରୀ ମିର୍ଜା ମହମ୍ମଦ ଆରିଫ୍ କେମିତି ସାପ ଧରୁଛନ୍ତି ତାହା ଦେଖିବାକୁ ସେ ଆସିଥିବା କହିଛନ୍ତି। ୟୁଟ୍ୟୁବରେ ଅପ୍ଲୋଡ୍ କରୁଥିବା ଉଦ୍ଧାର ବେଳର ଭିଡିଓ ଗୁଡ଼ିକ ସତ କି ନୁହେଁ ତାହା ଜାଣିବାକୁ ମଧ୍ୟ ତାଙ୍କର ଆଗ୍ରହ ଥିଲା ବୋଲି ଉଦ୍ଧାରକାରୀ ମିର୍ଜା ମହମ୍ମଦ ଆରିଫ୍ କହିଛନ୍ତି। ବିଦେଶୀ ଦମ୍ପତ୍ତିଙ୍କ ପରିଚୟ ସ୍ୱାମୀ ପାଉଲ ଓ ସ୍ତ୍ରୀ ସାରା। ପାଉଲ କେମିକାଲ ଇଞ୍ଜିନିୟର ହୋଇଥିବା ବେଳେ ସ୍ତ୍ରୀ ସାରା ହସ୍ପିଟାଲ୍ରେ ନର୍ସ ଭାବେ କାର୍ଯ୍ୟ କରନ୍ତି। କିନ୍ତୁ ସେମାନେ ସାପ ଦେଖିବାରୁ ଭଲପାଆନ୍ତି ଓ ବିଭିନ୍ନ ସାପ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି ବୋଲି କହିଛନ୍ତି।

ଖବର ଅନୁସାରେ, ସାପ ଧରାଳି ମିର୍ଜା ମହମ୍ମଦ ଆରିଫ୍ଙ୍କୁ ୟୁଟ୍ୟୁବ୍ରେ ସାପ ଧରିବାର ଦେଖି ବ୍ରିଟେନ୍ ଦମ୍ପତି ଭଦ୍ରକ ଆସି ତାଙ୍କୁ ଭେଟିଛନ୍ତି। ଜୀବଜନ୍ତୁଙ୍କୁ ଭଲ ପାଉଥିବା ଏହି ବିଦେଶୀ ଦମ୍ପତି ଗୁରୁବାର ଭଦ୍ରକରେ ପହଞ୍ଚି ଏକ ହୋଟେଲରେ ରାତ୍ରିଯାପନ କରିଥିଲେ। ପରେ ଶୁକ୍ରବାର ମିର୍ଜାଙ୍କୁ ଭେଟି ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି।

ବ୍ରିଟେନ୍ର ପୁଲ୍ ଓ ସ୍ତ୍ରୀ ସାରା ମିର୍ଜାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସାପ ଧରିବାର କଳା କୌଶଳ ଦେଖିବା ପରେ ଭଦ୍ରକ ଆସି ତାଙ୍କୁ ଦେଖା କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ସେମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିଥିଲେ। ତାଙ୍କ ସହ ୪/୫ ଦିନ ରହି ବିଭିନ୍ନ ସ୍ଥାନକୁ ଯାଇ ସାପ ଧରିବାର କୌଶଳ ଦେଖିଥିବାର ପୁଲ୍ କହିଛନ୍ତି। ମିର୍ଜାଙ୍କୁ ଦେଖା କରିବା ପାଇଁ ଏତେ ବାଟ ଆସିଥିଲୁ। ତାଙ୍କ ସହ ଦେଖା ହୋଇ ମିଶିବା ପରେ ସ୍ବପ୍ନ ପୂରଣ ହୋଇଛି ବୋଲି ସେ କହିଛନ୍ତି।

ସୂଚନାଥାଉକି, ଭଦ୍ରକର ପୁରୁଣାବଜାର ଅଞ୍ଚଳରେ ମିର୍ଜାଙ୍କ ଘର। ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ତାଙ୍କ ପରିବାର। ଦୀର୍ଘଦିନ ଧରି ବିଭିନ୍ନ ଅଞ୍ଚଳରେ ବିଷଧର ସାପ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ତାଙ୍କର ନିତିଦିନିଆ କାମ। ଏଥିପାଇଁ ସେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜଙ୍ଗଲ ବିଭାଗ ଅପେକ୍ଷା ଭଦ୍ରକ ଜିଲ୍ଲାରେ ସାପଧରାଳି ଭାବେ ତାଙ୍କୁ ଅଧିକ ଲୋକେ କଲ୍ କରି ଉଦ୍ଧାର ପାଇଁ ଡାକନ୍ତି। କିନ୍ତୁ ସେ ବହୁଦିନ ଧରି ଲୋକଙ୍କୁ ସେବା ଯୋଗାଉଥିବା ବେଳେ ବନ ବିଭାଗ କିମ୍ୱା ସରକାରଙ୍କ ପକ୍ଷରୁ କୌଣସି ସହାୟତା ତାଙ୍କୁ ମିଳୁନଥିବା ସେ କହିଛନ୍ତି।