୪୦ ବର୍ଷରେ ୧୦ କୋଟିରୁ ଅଧିକ ଭାରତୀୟଙ୍କ ଜୀବନ ନେଇଥିଲେ ଇଂରେଜ, ନୂଆ ଅଧ୍ୟୟନରେ ବିଶେଷଜ୍ଞଙ୍କ ବଡ଼ ଖୁଲାସା

Published By : Prameya-News7 Bureau | December 03, 2022 IST

ନୂଆଦିଲ୍ଲୀ: ଭାରତ ଉପରେ ଇଂରେଜମାନେ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ । କୁହାଯାଉଛି ସେ ସମୟରେ ଇଂରେଜମାନେ ଭାରତର ପ୍ରାୟ ୪୫ ଟ୍ରିଲିୟନ ଡଲାର ସମ୍ପତ୍ତି ଲୁଟି ନେଇଥିଲେ । ଏବେ ଅଷ୍ଟ୍ରେଲିଆର ଦୁଇ ଜଣ ବିଶେଷଜ୍ଞ ଖୁଲାସା କରିଛନ୍ତି ଯେ ବ୍ରିଟିଶ ସରକାର ଉପନିବେଶବାଦର ୪୦ ବର୍ଷ ସମୟରେ ପ୍ରାୟ ୧୦ କୋଟି ଭାରତୀୟଙ୍କ ଜୀବନ ନେଇଥିଲା । ଏହାପରେ ବି ବ୍ରିଟେନରେ ଆଜି ମଧ୍ୟ ବଡ଼ ସଂଖ୍ୟାରେ ଲୋକମାନେ ଔପନିବେଶିକ ଇତିହାସକୁ ନେଇ ଗର୍ବ କରୁଛନ୍ତି । ନିୟାଲ ଫର୍ଗ୍ୟୁସନ ଏମ୍ପାୟର, ହାଓ ବ୍ରିଟେନ ମେଡ୍ ଦ ମଡର୍ନ ୱାର୍ଲଡ ଏବଂ ବ୍ରୁସ ଗିଲିଙ୍କ ଦ ଲାଷ୍ଟ ଇମ୍ପରିଆଲିଷ୍ଟ ପରି ଅନେକ ବିବାଦୀୟ ପୁସ୍ତକରେ ଦାବି କରାଯାଇଛି ଯେ ବ୍ରିଟିଶ ଔପନିବେଶବାଦ ଭାରତ ଏବଂ ଅନ୍ୟ ଉପନିବେଶରେ ସମୃଦ୍ଧ ଏବଂ ବିକାଶ ଆଣିଛି । ଦୁଇ ବର୍ଷ ପୂର୍ବେ YouGov ଗୋଟିଏ ସର୍ଭେ କରିଥିଲା ଏଥିରେ ବ୍ରିଟେନର ୩୨ ପ୍ରତିଶତ ଲୋକେ ଦେଶର ଔପନିବେଶିକ ଇତିହାସ ଉପରେ ସକ୍ରିୟ ରୂପେ ଗର୍ବ କରୁଛନ୍ତି ।

ଅର୍ଥନୀତି ଇତିହାସକାର ରବର୍ଟ ସି ଏଲନଙ୍କ ଅଧ୍ୟୟନ ଅନୁସାରେ, ବ୍ରିଟିଶ ଶାସନ କାଳରେ ଭାରତରେ ଅତ୍ୟଧିକ ଗରିବୀ ୧୮୧୦ ମସିହାର ୨୩ ପ୍ରତିଶତରୁ ବଢି ବିଂଶ ଶତାବ୍ଦୀର ମଧ୍ୟରେ ୫୦ ପ୍ରତିଶତରୁ ଅଧିକ ହୋଇଥିଲା । ବ୍ରିଟିଶ ଔପନିବେଶିକ କାଳରେ ପାରିଶ୍ରମିକ ହ୍ରାସ ପାଇଥିଲା । ଅକାଳ-ମରୁଡି-ଅନାହାର ଯୋଗୁଁ ଉନବିଂଶ ଶତାବ୍ଦୀରେ ଏହା ଇତିହାସର ସବୁଠୁ ତଳ ସ୍ତରରେ ପହଞ୍ଚିଥିଲା । ଉପନିବେଶବାଦରୁ ଭାରତୀୟ ଲାଭ ପାଇବା ଦୂର କଥା ବରଂ ଏହା ଏକ ମାନବୀୟ ବିପର୍ଯ୍ୟୟ ଥିଲା । ଏହାକୁ ବ୍ରିଟେନର ତତ୍କାଳୀନ ରାଜ ଶାସନ ଏବଂ ସେମାନଙ୍କ ଜରିଆରେ ନିଯୁକ୍ତ ଇଂରେଜ ଅଧିକାରୀ ତିଆରି କରିଥିଲେ ।

ବିଶେଷଜ୍ଞଙ୍କ ଦାବି ୧୮୮୦ରୁ ୧୯୨୦ ମସିହା ମଧ୍ୟରେ ବ୍ରିଟିଶ ସାମ୍ରାଜ୍ୟବାଦର ଶକ୍ତି ନିଜ ଉଚ୍ଚତମ ସ୍ତରରେ ପହଞ୍ଚିଥିଲା । ଏହା ବ୍ରିଟିଶ ପାଇଁ ଲାଭବାନ ଥିଲା, କିନ୍ତୁ ଭାରତ ପାଇଁ ବିନାଶକାରୀ ଥିଲା । ୧୮୮୦ ଦଶନ୍ଧିରେ ଆରମ୍ଭ ହୋଇଥିବା ଔପନିବେଶିକ ଶାସନର ଜନଗଣନାରୁ ସ୍ପଷ୍ଚ ଜଣାପଡୁଛି ଯେ, ଏହି ଅବଧିରେ ମୃତ୍ୟୁ ହାର ଅଧିକ ହୋଇଥିଲା । ୧୮୮୦ ଦଶନ୍ଧିରେ ପ୍ରତି ୧୦୦୦ ଜଣଙ୍କରେ ୩୭ ଜଣଙ୍କ ମୃତ୍ୟୁ ହେଉଥିଲା, ଯାହା ୧୯୧୦ ଦଶନ୍ଧିରେ ବଢି ୪୪ରେ ପହଞ୍ଚିଥିଲା । ସେହି ସମୟରେ ଭାରତୀୟଙ୍କ ହାରାହାରି ଜୀବନ ଆୟୁଷ ୨୬.୭ ବର୍ଷରୁ କମି ୨୧.୯ ବର୍ଷ ହୋଇଥିଲା ।

ନିକଟରେ ୱାର୍ଲଡ ଡେଭଲପମେଣ୍ଟ ଜର୍ନଲରେ ପ୍ରକାଶିତ ଏକ ପେପରରେ ୧୮୮୦ରୁ ୧୯୨୦ ମସିହା ମଧ୍ୟରେ ବ୍ରିଟିଶର ସାମ୍ରାଜ୍ୟବାଦୀ ନୀତି ପାଇଁ ଜୀବନ ହରାଇଥିବା ଲୋକଙ୍କ ଏକ ତଥ୍ୟ ପ୍ରକାଶ କରାଇଥିଲା । ଏହା ଅନୁସାରେ ୧୮୯୧ରୁ ୧୯୨୦ ଅବଧି ମଧ୍ୟରେ ବ୍ରିଟିଶ ଔପନିବେଶବାଦ କାରଣରୁ ପ୍ରାୟ ୫୦ ମିଲିୟନ ଅତିରିକ୍ତ ମୃତ୍ୟୁ ହୋଇଛି । ଏହି ସମୟରେ ପ୍ରାୟ ୫୦ ମିଲିୟନ ଲୋକଙ୍କ ମୃତ୍ୟୁ ସାମାନ୍ୟ କାରଣରୁ ହୋଇଛି । ମୋଟ ଉପରେ ଏହି ସମୟରେ ପ୍ରାୟ ୧୦୦ ମିଲିୟନ ଲୋକଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.