ବ୍ରିଟେନରେ କରୋନା ଭାଇରସର ଦ୍ବିତୀୟ ଲହର, ଚିନ୍ତାରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ
23/09/2020 at 3:43 PM

ଲଣ୍ଡନ ୨୩/୦୯: ବ୍ରିଟେନକୁ ପୁଣି ଫେରିଲା କରୋନା। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକଥା ସମସ୍ତଙ୍କୁ ଜଣାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ନୂଆ କଟକଣା ଘୋଷଣା କରାଯାଇଛି। କୋଭିଡ୍-୧୯ ସଂକ୍ରମଣ ମାମଲା ବୃଦ୍ଧି ରୋକିବା ପାଇଁ ନୂଆ ନିୟମ ପ୍ରସ୍ତୁତ କରାଯାଇଛି। ଯେକୌଣସି ପରିସ୍ଥିତିରେ ଲୋକଙ୍କୁ ଏହାକୁ ମାନିବାକୁ ହେବ କହିଛନ୍ତି ବୋରିସ୍। ଏ ନୂଆ ନିୟମ ଫଳପ୍ରଦ ନ ହେଲେ ଆଗାମୀ ୬ମାସ ପର୍ଯ୍ୟନ୍ତ ଏହା ଲାଗୁ ହେବ। ଗତକାଲି ବୋଜୋ (ବୋରିସ ଜନସନ) ଏକଥା ସଂସଦରେ କହିଛନ୍ତି।
ତେବେ ସେଠାରେ ନୂଆ ନିୟମ ସେପ୍ଟେମ୍ବର ୨୪ ଅର୍ଥାତ ଆସନ୍ତାକାଲିଠାରୁ ଲାଗୁ ହେବ। ବୋଜୋ କହିଛନ୍ତି ପବ ସମେତ ଅନ୍ୟାନ୍ୟ ସ୍ଥାନକୁ ରାତି ୧୦ଟା ସୁଦ୍ଧା ବନ୍ଦ କରାଯିବ। ଏହା ସହ ଲୋକଙ୍କୁ ଯଥାସମ୍ଭବ ଓ୍ବାର୍କଫ୍ରମ୍ ହୋମ ବା ଘରେ ରହି କାମ କରିବାକୁ କୁହାଯାଇଛି। ତେବେ ମାର୍ଚ ମାସ ଭଳି ସମ୍ପୂଣ୍ର୍ଣ ଭାବେ ଲକଡାଉନ୍ ଲାଗୁ କରାଯିବ ନାହିଁ। ସରକାର ଲୋକଙ୍କୁ ଘରେ ରହିବାକୁ ନିର୍ଦେଶ ଜାରି କରି ନ ଥିବା ବୋରିସ କହିଛନ୍ତି। ତେବେ ସ୍କୁଲ ଓ ବ୍ୟବସାୟ ଖୋଲା ରହିବ। ଏହା ସହ ଇନଡୋର ଗେମ୍ ଉପରେ ବି କଟକଣା ଲଗାଯାଇଛି। ଯଦିଓ ପୂର୍ବରୁ ଅକ୍ଟୋବର ୧ରୁ ଷ୍ଟାଡିୟରେ ଖେଳକୁଦକୁ ମଞ୍ଜୁରି ଦେଇଥିଲେ କିନ୍ତୁ ଏବେ ଏଥିରେ କଟକଣା ଲଗାଇବାକୁ ବାଧ୍ୟ ହୋଇଛନ୍ତି।

ସେହିପରି ବିବାହ ଉତ୍ସବରେ ପୂର୍ବରୁ ୩୦ ଜଣଙ୍କୁ ସାମିଲ ହେବାର ଅନୁମତି ଥିବା ବେଳେ ଏବେ ୧୫ ଜଣ ଅତିଥିଙ୍କୁ ସାମିଲ ହେବାର ମଞ୍ଜୁରି ମିଳିଛି। ସେହିପରି ଇଂଲଣ୍ଡରେ ଅନ୍ତିମ ସଂସ୍କାର ପାଇଁ ୩୦ ଲୋକଙ୍କୁ ଅନୁମତି ଅଛି। ଯେଉଁମାନେ ସେଲଫ ଆଇସୋଲେସନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କଠାରୁ ଜରିମନା ଆଦାୟ କରାଯିବ। ସାମାଜିକ ଦୂରତ୍ବ ଥିବା ସ୍ଥାନରେ କେବଳ ୬ଜଣ ଲୋକ ସାମିଲ ହେବେ। ବ୍ରିଟେନରେ କରୋନା ମାମଲା ଏବେ ସାତଦିନରେ ଦ୍ବିଗୁଣ ହେଉଛି। ଯଦି ମାମଲା ଏମିତି ରହିବ ତେବେ ଅକ୍ଟୋବର ସୁଦ୍ଧା ୫୦ ହଜାର ମାମଲା ପ୍ରତିଦିନ ଆସିବ।