ପାଟନା: ଉଦଘାଟନ ପୂର୍ବରୁ ଭୁଶୁଡିଗଲା ୧୪ କୋଟି ଟଙ୍କାରେ ନିର୍ମିତ ବ୍ରିଜ୍। ବିହାରର ବେଗୁସରାୟରେ ଗଣ୍ଡକ ନଦୀ ଉପରେ ନବ ନିର୍ମିତ ପୋଲର ଏକ ଅଂଶ ଭାଙ୍ଗି ନଦୀରେ ଖସି ପଡିଛି। ତେବେ ସୌଭାଗ୍ୟବଶତଃ ଦୁର୍ଘଟଣା ସମୟରେ ପୋଲ ଉପରେ କେହି ନଥିଲେ। ଘଟଣା ପରେ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ସରକାର ଉପରେ ପ୍ରଶ୍ନ ଉଠିଛି। ଦୁର୍ନୀତିକୁ ନେଇ ନୀତିଶ କୁମାର ସରକାରଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି।
ଗଣ୍ଡକ ନଦୀରେ ନିର୍ମିତ ୨୦୬ ମିଟରର ଲମ୍ବ ପୋଲର ନିର୍ମାଣ ମୁଖ୍ୟମନ୍ତ୍ରୀ ନାବାର୍ଡ ଯୋଜନା ଅନ୍ତର୍ଗତରେ କରାଯାଇଛି। ଆର୍ଥିକ ବର୍ଷ ୨୦୧୨-୧୩ରେ ମଞ୍ଜୁରୀ ପ୍ରାପ୍ତ ଏହି ପୋଲର ନିର୍ମାଣ କାମ ୨୦୧୬ ଫେବୃଆରୀ ୨୩ରେ ଆରମ୍ଭ ହୋଇଥିଲା। ୧୩ କୋଟି ୪୩ ଲକ୍ଷ ଟଙ୍କା ବଜେଟ୍ରେ ପୋଲର ନିର୍ମାଣ କାମ ୨୦୧୭ ଅଗଷ୍ଟ ୨୨ରେ ପୂରା ହୋଇଥିଲା। ତେବେ ଏହାକୁ ସଂଯୋଗ କରୁଥିବା ମାର୍ଗର ନିର୍ମାଣ ଜାରି ରହିଥିଲା। ମା ଭଗବତୀ କନଷ୍ଟ୍ରକ୍ସନ ଏହାର ନିର୍ମାଣ ଦାୟିତ୍ଵ ନେଇଥିଲା।
ମାତ୍ର ପାଞ୍ଚ ବର୍ଷ ପୂର୍ବେ ପ୍ରସ୍ତୁତ ଏହି ପୋଲ ଭାଙ୍ଗିବା ପରେ ଲୋକେ ସରକାରଙ୍କ ସହିତ ନିର୍ମାଣ କରିଥିବା ସଂସ୍ଥାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଲୁଟିବା ଚକ୍କରରେ ନିମ୍ନମାନର ପୋଲ ନିର୍ମାଣ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। ଆଉ ଦୁର୍ନୀତିରେ ପୋଲଟି ବଳି ଚଢି ଯାଇଛି।
wp:html/wp:html#WATCH | Bihar: A portion of a bridge that was built across Burhi Gandak River in Sahebpur Kamal, Begusarai collapsed and fell into the river yesterday. The bridge had developed cracks a few days back. Nobody was on the bridge at the time of the incident. pic.twitter.com/zB7L3bAOPA
— ANI (@ANI) December 19, 2022
ଗଣ୍ଡକ ନଦୀ ଉପରେ ନିର୍ମିତ ଏହି ପୋଲର ଉଦଘାଟନ ହୋଇନଥିଲେ ବି ଯାତାୟତ ଆରମ୍ଭ ହୋଇ ଯାଇଥିଲା। ଛୋଟ ଗାଡି ଏବଂ ପାଦଚଲା ଯାତ୍ରୀ ଏହି ପୋଲ୍ରେ ଯିବା ଆସିବା କରୁଥିଲେ। ସଂଯୋଗ କରୁଥିବା ରାସ୍ତାର କାମ ପୂରା ହୋଇନଥିବା କାରଣରୁ ବଡ ବଡ ଗାଡି ଯାତାୟତ କରୁନଥିଲେ। ପୋଲର ଖମ୍ବରେ ଦୁଇ-ତିନୋଟି ବଡ ବଡ ଫାଟ ଦେଖି ଲୋକେ ଏହାର ସୂଚନା ସମ୍ବନ୍ଧିତ ବିଭାଗକୁ ଦେଇଥିଲେ। ପୋଲ ଧସିବା ଏବଂ ଗାର୍ଡରରେ ଫାଟ ସୂଚନା ପାଇ ପୋଲିସ ପ୍ରଶାସନ ଏବଂ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଏହା ପରେ ଇଞ୍ଜିନିୟରଙ୍କ ସ୍ଵତନ୍ତ୍ର ଦଳକୁ ଡକାଯାଇଥିଲା। ଯାଞ୍ଚ ପରେ ପୋଲ ଉପରେ ଯାତାୟତ ଉପରେ ରୋକ୍ ଲଗାଯାଇଥିଲା। ଆଉ ଆଜି ପୋଲର କିଛି ଅଂଶ ଭୁଶୁଡି ପଡିଛି। ପୋଲ ଭାଙ୍ଗିବା ପରେ ଅଞ୍ଚଳରେ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବେ। ବିଶେଷ କରି କୃଷକ ଅଧିକ ସମସ୍ୟା ଭୋଗିବେ। କାରଣ ଚାଷୀ ନଦୀର ଅନ୍ୟ ପାର୍ଶ୍ଵକୁ ଗାଈଗୋରୁଙ୍କ ପାଇଁ ଘାସ ନେବାକୁ ଯାଉଥିଲେ।